ଡାକ୍ତର ବଦଳି ବାତିଲ ଦାବିରେ ଡାକ୍ତରଖାନା ଗେଟରେ ତାଲା

ଦେଓଗାଁ,ଏନ୍ଏନ୍ଏସ୍: ଗୁଡ଼ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କୁ ଅନ୍ୟତ୍ର ଡେପୁଟେସ ନାଁରେ ବଦଳି କରିଥିବାରୁ ସ୍ଥାନୀୟ ଲୋକେ ବଦଳି ଆଦେଶ ବାତିଲ କରିବା ଦାବିରେ ଡାକ୍ତରଖାନା ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକ୍ତରଖାନାକୁ ବନ୍ଦ କରିଦିଆଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ପ୍ରକାଶ ଥାଉ କି, ଗତ ୨ ଦିନ ତଳେ ସଇଁତଳା ବ୍ଲକ୍ ବୁଡ଼ାବାହାଲରେ ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି। ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରବାକୁ ଗୁଡ଼ଭେଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ଧରୁଆଙ୍କୁ ବୁଡ଼ାବାହାଲକୁ ଡେପୁଟେସନରେ ପଠାଯାଇଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୁଡ଼ଭେଲା ବ୍ଲକ୍ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ଡ଼ାକ୍ତର ନିହାତି ଦରକାର ପଡ଼ିଥାଏ। ଡାକ୍ତରଙ୍କ ବଦଳି ଆଦେଶକୁ ବାତିଲ କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।