ଲକ୍ ଡାଉନ୍ ସମସ୍ୟା : ମାନବିକତା ଦେଖାଇଲେ ବାରକୋଟ ପୁଲିସ

ଦେବଗଡ଼,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ନେଇ ସାରାଦେଶ ଲକ ଡାଉନ ରହିଥିବା ବେଳେ ଲୋକେ ସାମାଜିକ ଦୂରତା ପାଇଁ ନିଜ ନିଜକୁ ନିଜ ଘର ମଧ୍ୟରେ ବନ୍ଦ କରି ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର କିଛି ସମୟ ପାଇଁ ଖୋଲା ଯାଉଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ସରକାର ପଂଚାୟତ ସ୍ତରରେ ଗରିବ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଥିଲେ ମଧ୍ୟ ଅନେକ ମାନସିକ ଭିନ୍ନକ୍ଷମ ଏଣେ ତେଣେ ବୁଲୁଥିଲେ ମଧ୍ୟ ଖାଇବାକୁ ନପାଇ ଭୋକ ଉପାସରେ ରହୁଥିବା ଜଣାପଡିଛି ।

ଏହି କ୍ରମରେ ଆଜି ବାରକୋଟ ବ୍ଲକରେ ଲକ ଡାଉନ ବେଳେ ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ଭୋକିଲା ବୁଲୁଥିବା ଦେଖି ସେଠାରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଠାରୁ ସୂଚନା ପାଇ ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ଉକ୍ତ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହ ସେଠାରେ ବସାଇ ଘରୁ ରନ୍ଧା ଖାଦ୍ୟ ଆଣି ଖୁଆଇ ଥିଲେ । ଲକ ଡାଉନ ସମୟରେ ଦେଶ ତଥା ରାଜ୍ୟର ଭିନ୍ନ ଭିନ୍ନ ପ୍ରାନ୍ତରୁ ଜନସାଧାରଣଙ୍କୁ ପୁଲିସର ମାଡ ଦେଖିବାକୁ ମିଳୁଥିବା ବେଳେ ବାରକୋଟ ଥାନା ପୁଲିସର ଏଭଳି ମାନବିକତା ପୁଲିସ ପ୍ରତି ଜନସାଧାରଣଙ୍କ ଥିବା ମାନସିକତାରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଜିଲ୍ଲା ପୁଲିସ ଫର୍ଦରେ ଏକ ନୂତନ ଛବି ଯୋଡି ହୋଇଥିବା ବିଭାଗୀୟ କର୍ମଚାରୀ ମହଲ ର ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।