ଦେବଗଡ,ଏନ୍ଏନ୍ଏସ୍ : କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାରା ଦେଶକୁ ଲକଡାଉନ କରାଯାଇ ସାମାଜିକ ଦୂରତ୍ୱକୁ ପାଳନ ପାଇଁ ସରକାର ଗାଇଡ ଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ ଦେବଗଡ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଲାଗୁ ରହିଥିବା ବେଳେ ଗତ ୨୦ ତାରିଖ ଠାରୁ ଏଥିରେ କୋହଲ କରା ଯାଇଥିବା ନେଇ ପ୍ରଚାର ହେବା ଫଳରେ ଗତ କାଲିଠାରୁ ଦେବଗଡ ପୈାରଂଚଳ ସମେତ ଗ୍ରାମାଂଚଳ ଗୁଡିକରେ ବିଭିନ୍ନ ଦୋକାନ ବଜାର ଖୋଲାଯାଉ ଥିବାରୁ ବଜାରରେ ଜନସାଧାରଣଙ୍କ ଗହଳି ବଢୁଥିବା ବେଳେ ସାମାଜିକ ଦୂରତ୍ୱ ପାଳନ କୁ ଧିରେ ଧିରେ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି ।
ଫଳରେ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରି ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀମାନେ ପୁଲିସ ସହାୟତାରେ ଦେବଗଡ ସହରରେ ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତାରେ ଯାଂଚ କଡାକଡି କରି ମାକ୍ସ ବ୍ୟବହାର କରୁ ନଥିବା ଏବଂ ଏକ ରୁ ଅଧିକ ଆରୋହୀ ଥିବା ବାଇକ ଚାଳକଙ୍କୁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ଅମାନ୍ୟ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ଆଜି ଏଭଳି ଆଇନ ଅବମାନନା କରୁଥିବା ଲୋକମାନଙ୍କ ଠାରୁ ୨୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିମଧ୍ୟରୁ ରିଆମାଳ ବ୍ଲକରେ ୫୨ଜଣଙ୍କ ଠାରୁ ୧୦ ହଜାର ୪ଶହ ଟଙ୍କା, ଦେବଗଡ ପୌରାଂଚଳ ଓ ତିଲେଇବଣି ବ୍ଲକରେ ୫୦ଜଣଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟ କରାଯାଇଛି। ସେହିଭଳି ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୩ଜଣଙ୍କ ଠାରୁ ୬ ହଜାର ୬ ଶହ ଟଙ୍କା ଆଦାୟ କରିଥିବା ସୂଚନା ମିଳିଛି ।