ଚୀନ୍‌ର ସିଆନ୍ ସହରରେ ଲକ୍‌ଡାଉନ, ୧.୩ କୋଟି ଲୋକ ଗୃହବନ୍ଦୀ

ବେଜିଂ,ଏଜେନ୍ସି: ଚୀନ୍‌ରେ କୋଭିଡ୍‌ର ପ୍ରତ୍ୟାବର୍ତ୍ତନ ପରେ କମ୍ୟୁନିଷ୍ଟ ସରକାର ଗୁରୁୁବାରଠାରୁ ସାଙ୍କ୍‌ସି ପ୍ରଦେଶ ଅନ୍ତର୍ଗତ ସିଆନ୍ ସହରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିଛନ୍ତି। ଡିସେମ୍ବର ୯ରୁ ଏପର୍ଯ୍ୟନ୍ତ ଏହି ସହରରେ ୨୩୪ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହି ସହରର ଲୋକସଂଖ୍ୟା ୧୩ ନିୟୁତ ହୋଇଥିବାବେଳେ ସମସ୍ତଙ୍କୁ ଘରେ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ସବୁ ନାଗରିକଙ୍କର ନ୍ୟୁକ୍ଲିକ୍ ଏସିଡ୍ ଟେଷ୍ଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି। ସମ୍ଭାବ୍ୟ ଲକ୍ଷଣଯୁକ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ପ୍ରତ୍ୟେକ ପରିବାରର ମାତ୍ର ଜଣେ ସଦସ୍ୟଙ୍କୁ ଦିନେ ଛାଡି ଦିନେ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ସହରରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଆପାତତଃ ବାତିଲ କରାଯାଇଛି। ଚୀନ୍ ବର୍ତ୍ତମାନ ‘ଜିରୋ କୋଭିଡ୍‌’ ନୀତି ଅବଲମ୍ବନ କରୁଥିବାରୁ ଲକ୍‌ଡାଉନକୁ ଅମୋଘ ଅସ୍ତ୍ରଭାବେ ବ୍ୟବହାର କରାଯାଉଛି।