ରାଜ୍ୟରେ ଜୋରଦାର ହେବ ସର୍ଭିଲାନ୍ସ, ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆଜି ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଆକ୍ରାନ୍ତ ଦ୍ୱୟ ନାବାଳିକା ଓ ସେମାନେ ଦୁଇ ଭଉଣୀ। ଜଣଙ୍କୁ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ୧୫ ବର୍ଷର। ଗତ ୧୩ ତାରିଖରେ ସେମାନେ ବାପାମା’ଙ୍କ ସହିତ ନାଇଜେରିଆରୁ ଫେରିଥିଲେ। ତେବେ ସେମାନଙ୍କ ବାପାମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇଛି। ସେମାନେ ସମସ୍ତେ ନେଗେଟିଭ୍ ଅଛନ୍ତି। ସେମାନଙ୍କୁ ବିମାନବନ୍ଦରରୁ ନେଇ ଯାଇଥିବା ଗାଡ଼ି ଡ୍ରାଇଭରଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ବାପାମା’ ଓ ଛୁଆ ଦୁଇଟି ନାଇଜେରିଆରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅଷ୍ଟମ ଦିନରେ ସେମାନଙ୍କର ଆରଟିପିସିଆର୍ ଟେଷ୍ଟ୍ କରାଯାଇଥିଲା। ଆଉ ଝିଅ ଦୁହିଁଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ଦୁଇଟି ଯାକ ନାବାଳିକା ଭଲ ଅଛନ୍ତି। ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସେମାନେ ଆଇସୋଲେଟ୍ ହୋଇ ଅଛନ୍ତି।

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୩ହଜାର ୩୪୯ ରହିଥିବାବେଳେ ଗତ ୨୪ ଘଣ୍ଟାରେ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୩୯୧ରେ ପହଞ୍ଚିଛି। ୨୪ଘଣ୍ଟା ମଧ୍ୟରେ ୧୭୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ଆଜି ଜଣଙ୍କର ମୃତ୍ୟୁ ଯୋଗୁଁ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ହଜାର ୪୪୮ରେ ପହଞ୍ଚିଛି।

ବିନା ମାସ୍କରେ ଷ୍ଟେସନରେ ବୁଲିଲେ ମିଳିବ ଦଣ୍ଡ
ଏଣିକି ରେଳ ଷ୍ଟେସନରେ ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଦଣ୍ଡିତ କରାଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ରୋଡ଼ ରେଲୱେ ଡିଆର୍‌ଏମ୍ ରିଙ୍କେଶ ରାୟ। ଓମିକ୍ରନ ରୋକିବା ଲାଗି ଷ୍ଟେସନରେ ବ୍ୟାପକ ପଦକ୍ଷେପ ନିଆଯାଉଛି। କୋରୋନା ନେଇ ଆଗକୁ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସେହି ଅନୁସାରେ ଆମେ କାମ କରିବୁ। ଦେଶରେ ଏବେ ଓମିକ୍ରନ ଡରାଇବାରେ ଲାଗିଲାଣି। ରାଜ୍ୟରେ ମଧ୍ୟ ପାଖାପାଖି ୨ରୁ ୪ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ବୋଲି ଶ୍ରୀ ରାୟ କହିଛନ୍ତି। ଅନେକ ବିଦେଶ ଫେରନ୍ତା ବ୍ୟକ୍ତିମାନେ ବିମାନବନ୍ଦରରୁ ଓହ୍ଲାଇ ସିଧାସଳଖ ଭାବରେ ରେଳ ବିଭାଗ ଉପରେ ନିର୍ଭର କରନ୍ତି। ଯାହା ଟ୍ରେନ ଦ୍ୱାରା ଅନେକ ବ୍ୟକ୍ତି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ଏନେଇ ଷ୍ଟେସନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଉଛି। ଆଗକୁ ଯଦି ସରକାର ରେଳବିଭାଗ ପାଇଁ ଗାଇଡ଼ ଲାଇନ ଆଣିବେ ତେବେ ସେହି ଅନୁସାରେ କଟକଣା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।