ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ହୀର୍ମାସ୍ଥିତ ଏସଏମସି କାରଖାନା ସମ୍ମୁଖରେ ୧୦ ଦଫା ଦାବି ନେଇ ଆଜି ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ହୀର୍ମାବାସୀଙ୍କ ଏହି ଆନ୍ଦୋଳନକୁ ଝାରସୁଗୁଡ଼ା ଜିଲ୍ଲା ବିଜେପି ସମର୍ଥନ କରି ଧାରଣାରେ ସାମିଲ ହୋଇଛି। ବିକ୍ଷୋଭକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଏସଏମସି କାରଖାନା ପାଇଁ ହୀର୍ମାବାସୀ ସର୍ବସ୍ୱାନ୍ତ ହୋଇଛନ୍ତି। ନିଜର ଜମିବାଡି ଘର ଦ୍ୱାର ହରାଇବା ସହ କମ୍ପାନୀର ଧୂଳିଧୂଆଁ ଖାଉଛନ୍ତି। ହେଲେ କମ୍ପାନୀ ହିର୍ମାବାସୀଙ୍କୁ ସବୁବେଳେ ଅବହେଳା କରି ଆସୁଛି। ସ୍ଥାନୀୟ ନିଯୁକ୍ତି, ଶିକ୍ଷା ବ୍ୟବସ୍ଥା, ହେଲ୍ଥ କ୍ୟାମ୍ପ, ଆଲୋକୀକରଣ ତଥା ସ୍ଥାନୀୟ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରୁନାହିଁ।
ଗ୍ରାମବାସୀମାନେ ବାରମ୍ବାର ଏସଏମସି କାରଖାନାରେ ସ୍ଥାନୀୟ ନିଯୁକ୍ତି, ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି, ବଡମାଲରେ ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ସହ ଗୋଲ ଚକ୍କରର ନିର୍ମାଣ, ମାସକୁ ଥରେ ହୀର୍ମା ପଞ୍ଚାୟତରେ ହେଲ୍ଥି କ୍ୟାମ୍ପ, ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଶିକ୍ଷା ବ୍ୟବସ୍ଥା, ବଡ଼ମାଲରୁ ହୀର୍ମା ପଞ୍ଚାୟତ ଯାଏଁ ଭାରୀଯାନର ଗତି ନିୟନ୍ତ୍ରଣ, ଧୂଳିଧୂଆଁ ମୁକ୍ତ ପଞ୍ଚାୟତ ପାଇଁ ପଦକ୍ଷେପ ଗ୍ରହଣ, ହୀର୍ମା ପଞ୍ଚାୟତକୁ ମାଗଣାରେ ବିଦ୍ୟୁତ ଯୋଗାଣ, ହୀର୍ମାସ୍ଥିତ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଦାବି କରିଥିଲେ।
ଗ୍ରାମବାସୀଙ୍କ ଦାବିକୁ କମ୍ପାନୀ କର୍ତ୍ତୃପକ୍ଷ ଅବା ଜିଲ୍ଲାପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ଆଜି ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଏହି ଦାବିକୁ ଶୀଘ୍ର ପୁରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁ ନଚେତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।