ଗହଳି ଯୋଗୁ ମଦ ଦୋକାନ ସିଲ କଲା ପ୍ରଶାସନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ ନିୟମ ଉଲଂଘନ କରି ମଦ ବିକ୍ରି କରୁଥିବାରୁ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଏକ ମଦ ଦୋକାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ପ୍ରାୟ ୨ମାସ ମଦ ଦୋକାନ ବନ୍ଦ ରହିବା ପରେ ଆଜିଠାରୁ ଝାରସୁଗୁଡ଼ାରେ ମଦ ହୋମ ଡେଲିଭରି କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ଅନଲାଇନରେ ମଦ ବିକ୍ରି କରିବା ପରିବର୍ତ୍ତେ ଝାରସୁଗଡ଼ା ବସଷ୍ଟାଣ୍ଡ ନିକଟରେ ଥିବା ଏହି ମଦ ଦୋକାନୀ ଦୋକାନ ଖୋଲି କାଉଣ୍ଟରରେ ମଦ ବିକ୍ରି କରୁଥିଲେ। ଫଳରେ ଲୋକେ ମଦ କିଣିବା ପାଇଁ ଦୋକାନ ସମ୍ମୁଖରେ ଗହଳି କରିବା ସହ ସାମାଜିକ ଦୂରତ୍ୱକୁ ଉଲଂଘନ କରିଥିଲେ। ଏବିଷୟରେ ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କୋଲାବିରା ତହସିଲଦାର ଗୋଲଖ ବିହାରୀ ମଙ୍ଗରାଜ, ଏସଡିପିଓ କୈଳାସ ଆଚାର୍ଯ୍ୟ, ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ ଓ ପୁଲିସ ଦଳ ପହଂଚି ମଦ ଦୋକାନକୁ ସିଲ କରିବା ସହ ଲୋକଙ୍କୁ ଦୋକାନ ସମ୍ମୁଖରେ ଗହଳି ନ କରିବା ପାଇଁ ପରାମର୍ଶ ଦେଇଥିଲେ।