ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ : ସୁର ରାଉତରାୟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁରୀ ଜଗନ୍ନାଥଙ୍କୁ ନେଇ ବିଜେପି ନେତ୍ରୀ ଲୋଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟ ଉପରେ ଆପତ୍ତି ଉଠାଇଛି ରାଜ୍ୟ କଂଗ୍ରେସ। ରାଜ୍ୟ କଂଗ୍ରେସ ପକ୍ଷରୁ ଶ୍ରୀମତୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ କଟ୍ଟୁ ସମାଲୋଚନା କରିଛନ୍ତି। ତାଙ୍କର ମନ୍ତବ୍ୟ ରାଜ୍ୟ ତଥା ଓଡ଼ିଶା ଜାତି ପାଇଁ ଘୋର ଅପମାନ ବୋଲି କଂଗ୍ରେସ କହିଛି। ଏନେଇ ଆଜି କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି ଯେ ଜଗତର ନାଥ ଜଗନ୍ନାଥ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ବିଶ୍ୱଦରବାରରେ ପରିଚିତ ହୋଇପାରିଲେ ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଓଡ଼ିଆ ଜାତି ନୁହେଁ ଏହା ବିଶ୍ୱର ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ। ବିଜେପି ଦଳ ଜଗତର ନାଥ ଜଗନ୍ନାଥଙ୍କୁ କେଉଁ ଦୃଷ୍ଟିରେ ଦେଖେ ତାହା ଶ୍ରୀମତୀ ସାମନ୍ତସିଂହାରଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି।

ଶ୍ରୀମତୀ ସାମନ୍ତସିଂହାରଙ୍କ କହିବା ଅନୁଯାୟୀ ସମ୍ବିତ ପାତ୍ର ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବିଶ୍ୱ ଜାଣିଲା ଯେ ଜଗନ୍ନାଥ ଓଡ଼ିଶାରେ ଅଛନ୍ତି। ବିଜେପିର ଏଭଳି ଗର୍ବ ଓ ଅହଂକାର ପରିତ୍ୟାଗ କରୁ। ସେ ଆହୁରି ମଧ୍ୟ କରିଛନ୍ତି ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରିଥାଆନ୍ତି। ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଫ୍ରାନ୍ସ ପ୍ରଭୃତି ସାରା ବିଶ୍ୱରେ ବହୁଦେଶରେ ପାଳିତ ହେଉଅଛି। ବିଶ୍ୱର ବହୁଦେଶରୁ ବିଦେଶୀ ଲୋକ ପୁରୀ ଆସି ଜଗନ୍ନାଥଙ୍କ ସମ୍ପର୍କରେ ଜାଣନ୍ତି। ଆମେରିକା ଓ ଇଂଲଣ୍ଡ ପ୍ରଭୁତି ଦେଶର ଲୋକ ଜାଣନ୍ତି ଜଗନ୍ନାଥ ମନ୍ଦିର ପୁରୀରେ। ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି। ଭାରତର ଘରେ ଘରେ ଜାଣନ୍ତି ଜଗନ୍ନାଥ ମନ୍ଦିର କେଉଁଠି। ମାତ୍ର ଏ କଥା ବିଜେପି ବା ତାଙ୍କର ନେତ୍ରୀ ନଜାଣିପାରିବା ଦୁର୍ଭାଗ୍ୟଜନକ। ଶ୍ରୀମତୀ ସାମନ୍ତସିଂହାର ସମ୍ବିତ ପାତ୍ରଙ୍କୁ ଖୁସି କରିବାକୁ ଯାଇ ଜଗନ୍ନାଥଙ୍କୁ ନ୍ୟୁନ କରିଦେଇଛନ୍ତି। ଜଣେ ଓଡ଼ିଆ କଦାପି ଏକଥା ସହ୍ୟ କରିପାରିବ ନାହିଁ। ତେଣୁ ନିଜର ଅବିବେକି ମନ୍ତବ୍ୟ ପାଇଁ ଶ୍ରୀମତୀ ସାମନ୍ତସିଂହାର କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।