ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର-ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆର-ସାମ’ର ମଙ୍ଗଳବାର ସଫଳ ଉତକ୍ଷେପଣ କରାଯାଇଛି। କ୍ୟୁଆର ସାମ (କୁଇକ ରେସପନସ ସରଫେସ ଟୁ ଏୟାର ମିଜାଇଲ)କୁ ଭୁପୃଷ୍ଠରୁ ଆକାଶ ମାର୍ଗକୁ ଉତକ୍ଷେପଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଟିକୁ ଆଜି ଅନ୍ୟ ଏକ ଜୀବନ୍ତ ୱାରହେଡ ସହ ସଫଳତାର ସହ ପରୀକ୍ଷଣ କରାଯାଇଛି। ଗତ ୧୩ତାରିଖରେ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରାଯାଇଥିବା ବେଳେ ଆଜି ପୁଣି ପରୀକ୍ଷଣ କରାଯାଇଛି।

ସୂଚନା ଅନୁସାରେ,ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୩୦କିମି ଦୂରତା ମଧ୍ୟରେ ସ୍ଥଳଭାଗରୁ ଆକାଶକୁ ଟାର୍ଗେଟ କରିପାରିବ। ଏହାର ବେଗ ଶଦ୍ଦର ବେଗଠାରୁ ୪.୭ଗୁଣ ଅଧିକ। ‘କ୍ୟୁଆର-ସାମ’ମିଜାଇଲ ମୋବାଇଲ ଲଂଚ ପ୍ୟାଡରୁ ଉତକ୍ଷେପଣ କରାଯାଇ ଜରୁରୀ କାଳୀନ ସମୟରେ ଶତ୍ରୃପକ୍ଷର ଏୟାରକ୍ରାଫ୍ଟକୁ ଧ୍ୱଂସ କରାଯାଇ ପାରିବ। ଏଠାରେ ସୂଚନା ଯୋଗ୍ୟ ଯେ,ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ସହିତ ଅନ୍ୟାନ ଭାରତୀୟ ପ୍ରତିରକ୍ଷା ସଂଗଠନର ମିଳିତ ଉଦ୍ୟମରେ ବିକାଶ କରାଯାଇଥିବା ସ୍ୱଳ୍ପ ଦୂରଗାମୀ ଏହି କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଥିବା ଯେ କୌଣସି ଟାର୍ଗେଟ ସହିତ ଟ୍ୟାଙ୍କ,ବଙ୍କର ଏବଂ ଶତ୍ରୁପକ୍ଷର ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ଦ୍ରୁତ ଭାବେ ଗତି କରି ଧ୍ୱଂସ କରିବାରେ କ୍ଷମତା ରହିଛି।