ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ଲେଖାଶ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଫେରାର ହେବାର ୫ ଦିନ ମଧ୍ୟରେ ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଓଡ଼ିଶା ପୁଲିସ ଗିରଫ କରିଥିଲେହେଁ ଏଭଳି କୁଖ୍ୟାତ ଅପରାଧୀ ଏତେ ସହଜରେ ଖସିଯିବାକୁ ନେଇ ରାଜ୍ୟ ଢେର ପୁଲିସ ନିନ୍ଦିତ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି ବିରୋଧୀ। ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗକୁ ଦାୟୀ କରିଛି ରାଜ୍ୟ ବିଜେପି। ଏତେବଡ଼ ଘଟଣା ପରେ ବି ବର୍ତ୍ତର୍ମାନ ସୁଦ୍ଧା ଜେଲ୍ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲ୍ ଅଧିକ୍ଷକ ଏବଂ ଜେଲ୍ ଚିକିତ୍ସାଧିକାରୀଙ୍କୁ ଉତ୍ତରଦାୟୀ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର ଯୁକ୍ତି ରଖିଛନ୍ତି ଯେ ଓଡ଼ିଶା ଜେଲ୍ ମାନୁଆଲ ଅନୁଯାୟୀ, କୌଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲ୍ର ମେଡିକାଲ ଅଫିସର ଓ ଜେଲ୍ ଅଧିକ୍ଷକଙ୍କ ସୁପାରିଶକ୍ରମେ ଜେଲ୍ ମହାନିର୍ଦ୍ଦେଶକ ଅନୁମତି ମିଳିବା ଆବଶ୍ୟକ। କଏଦୀଟି ବାହାରେ ରହି ଚିକିତ୍ସିତ ହେଉଥିବା ବେଳେ ଜେଲ୍ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରିବା ସହ ଏ ସଂପର୍କିତ ରିପୋର୍ଟ ଜେଲ୍ ବିଭାଗକୁ ପ୍ରଦାନ କରିବାର ନିୟମ ରହିଛି। ମାତ୍ର, ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର କ୍ଷେତ୍ରରେ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଜାଣିଶୁଣି ଅବହେଳା ପ୍ରଦର୍ଶନ କରିବା ସହ ଅକ୍ଷମଣୀୟ ଅପରାଧ କରିଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ହାଇଦର ଚିକିତ୍ସାର ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା। ତା ପାଖରେ ମୋବାଇଲ ଫୋନ, ନଗଦ ଟଙ୍କା କେମିତି ରହୁଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ରହି ବିରିୟାନୀ କିପରି ଖାଉଥିଲା। ହାଇଦର ପାଖରେ ପୁଲିସ ସୁରକ୍ଷା ବ୍ୟବସ୍ଥା ରହିବାର ଥିଲା। ହେଲେ ତାହା ନହୋଇ ତାର ଯୁବତୀ ବନ୍ଧୁ ଏବଂ ଅନ୍ୟ ଅପରାଧୀ ତତ୍ତ୍ୱ ସାଙ୍ଗରେ କିଭଳି ରହୁଥିଲେ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।

ଏହି ଷଡ଼ଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏବଂ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ ବୋଲି ଡ. ସାମନ୍ତସିଂହାର କହିଛନ୍ତି। ଘଟଣାରେ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏଥିସହ ରାଜ୍ୟର ସମସ୍ତ ୯୧ଟି ଜେଲ୍ରେ ପରିସ୍ଥିତି କ’ଣ ଅଛି, ତାର ଏକ ରିପୋର୍ଟ ଶ୍ୱେତପତ୍ର ଜରିଆରେ ପ୍ରକାଶ କରିବା ପଇଁ ସେ ଦାବି କରିଛନ୍ତି।