ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି: କୃଷି ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି। ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ ହିଁ କୃଷି ଉତ୍ପାଦନ ବଢ଼ିପାରିବ। ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ। ଉଭୟ ଜଳ ଏବଂ ମୃତ୍ତିକା କୃଷି କାର୍ଯ୍ୟର ପ୍ରମୁଖ ଉପାଦାନ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ସଂପ୍ରସାରଣ ଅଧିକାରୀ, ଓଭରସିଅର ଓ ଅନ୍ୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଦ୍ରୁତ ଶଳ୍ପାୟନ, ସହରୀକରଣ ଆଦି କାରଣରୁ ଚାଷ ଜମି କମୁଥିବା ସତ୍ତେ୍ୱ ମୃତ୍ତିକାର ଉତ୍ତମ ପରିଚାଳନା, ଉନ୍ନତ ବିହନ ଓ କୃଷି ପଦ୍ଧତିର ବ୍ୟବହାର ଦ୍ୱାରା କୃଷି ଉକ୍ସଊାଦନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେବା ସତ୍ତେ୍ୱ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି। କୃଷି କାର୍ଯ୍ୟରେ ଉତ୍କର୍ଷ ହାସଲ ଯୋଗୁ ରାଜ୍ୟ ଅନେକ ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ ମୃତ୍ତିକା ସଂରକ୍ଷଣ ବିଭାଗ ଦୁଇଟି ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ପାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ନିର୍ଦ୍ଦେଶାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହାର ଫଟୋଚିତ୍ର ଓ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟର ସଫଳ କାହାଣୀର ସାମାଜିକ ଗଣମାଧ୍ୟମରେ ପ୍ରସାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁରେ ପରିବର୍ତ୍ତନ ହେତୁ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ହିଁ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ଏବଂ କୃଷିର ସାମଗ୍ରିକ ବିକାଶ ସମ୍ଭବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ଏଥି ସହିତ ମନ୍ତ୍ରୀ ଡ. ସାହୁ ମୃତ୍ତିକା ପରୀକ୍ଷଣ ଓ ବାୟୋଫର୍ଟିଲାଇଜର ଏବଂ ଭର୍ମିକମ୍ପୋଷ୍ଟର ମାନ ପରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ୍ ସ୍ତରୀୟ କାର୍ଯ୍ୟରତ କୃଷି ଓ ଆନୁଷଙ୍ଗିକ କୃଷି ବିଭାଗର ଅଧିକାରୀମାନେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକରେ ୫-‘ଟି’କୁ କଡ଼ାକଡ଼ି ଭାବରେ ଆନୁପାଳନ କରି ଯୋଜନାର ଲାଭ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଭାଗନେଇ ଉପଲବ୍ଧ ସମ୍ବଳର ଶତପ୍ରତିଶତ ବିନିଯୋଗ ନିମନ୍ତେ କହିଥିଲେ। ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଥିଲେ।