୨ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ମା’ ଫେରାର

ସଇଁନ୍ତଳା,ବଲାଙ୍ଗିର,ଏନ୍ଏନ୍ଏସ୍: ପ୍ରେମ ଆଗରେ ମା’ର ସ୍ନେହ, ମମତା ବଳି ପଡ଼ିଗଲା। ୧୦ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଶିଶୁଙ୍କୁ ଭୁଲି ଶେଷରେ ପ୍ରେମିକ ସହ ଚମ୍ପଟ ମାରିଛି ଜଣେ ମା’ । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗାଁରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବିକ, ଅନକାମୁର ଗାଁର ଭଜମନ ବାର ଲେବେଡ଼ିଆ ୨୦୧୬ରେ ବିବାହ କରିଥିଲେ । ତାଙ୍କର ୨ ଝିଅ ଥିବାବେଳେ ସାନ ଝିଅ ମାତ୍ର ୬ ମାସର । କିନ୍ତୁ ୨ ଝିଅଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ ପ୍ରେମିକ ସହ ଫେରାର ହୋଇଯାଇଥିବା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଭଜମନଙ୍କ ସ୍ତ୍ରୀ, ପ୍ରେମିକ ମୁକେଶ ବେହେରାଙ୍କ ସହ ଗତ ୧୧ ତାରିଖରେ ଫେରାର ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦିନ ଦ୍ୱିପ୍ରହରରେ ପ୍ରେମିକ ମୁକେଶ ବେହେରା ସହ ଭଜମନଙ୍କ ପତ୍ନୀ ଫେରାର ହୋଇଯାଇଥିବାର ପ୍ରମାଣ ରହିଥିଲେ ହେଁ ପୁଲିସ ମୁକେଶ ବେହେରାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ପୁଲିସର ଭୂମିକାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।