ଲକ୍ଷ୍ମୀପୁର ଥାନା ଘେରାଉ ଓ ଖଣି ରାସ୍ତା ଅବରୋଧ କରିଥିବା ନେଇ ୪୨ଗିରଫ

ଲକ୍ଷ୍ମୀପୁର,ଏଜେନ୍ସି: ଲକ୍ଷ୍ମୀପୁର ବ୍ଲକରେ ପୁଣି କୋଡ଼ିଙ୍ଗାମାଳି ଖଣିକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ପରେ ବିପକ୍ଷ ଗୋଷ୍ଠୀ ଥାନା ଘେରାଉ କରିଥିଲେ। ପରେ ସେଠାରେ ଉତ୍ତେଜନାର ପରିସ୍ଥିତି ଉପୁଜିଥିଲା। ଏପରିକି ଖଣି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ପୁଲିସ ବାଧ୍ୟ ହୋଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ସନ୍ଧ୍ୟା ସୁଦ୍ଧା ୪୨ଜଣଙ୍କୁ ଗିରଫ କରିଥିବା ବେଳେ ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି। ତଥାପି ପରିସ୍ଥିତି ସ୍ୱାଭାବିକ ହୋଇ ନଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କୋଡ଼ିଙ୍ଗାମାଳି ଖଣି ଖନନ ଯୋଗୁଁ ପ୍ରଭାବିତ ହୋଇଥିବା ଗ୍ରାମବାସୀଙ୍କୁ କଂପାନି ପକ୍ଷରୁ ପ୍ରତି ମାସରେ ଭତ୍ତା ଦିଆଯାଉଛି। ବାରମ୍ବାର ଖଣି ଖନନକୁ ବିରୋଧ କରୁଥିବା ଗୋଷ୍ଠୀ ଏହାକୁ ବନ୍ଦ ପାଇଁ ଦାବି କରି ଆସୁଥିଲା। ତଥାପି ଗତକାଲି କଂପାନ ପକ୍ଷରୁ ଲୋକଙ୍କୁ ଭତ୍ତା ଦିଆଯାଉଥିଲା। ଏହି ଖବର ଶୁଣିବା ପରେ ବିପକ୍ଷ ଗୋଷ୍ଠୀ ପହଞ୍ଚି ତୁରନ୍ତ ବନ୍ଦ କରିବାକୁ ଦାବି କରିଥିଲେ। ଅନ୍ୟପଟେ ଖଣି ଖନନ ସପକ୍ଷରେ ରହିଥିବା ଲୋକ ଭତ୍ତା ବନ୍ଦ ନକରିବାକୁ କହିଥିଲେ। ତେଣୁ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଲକ୍ଷ୍ମୀପୁର ଏସଡିପିଓ ଅଶ୍ବିନୀ କୁମାର ନାୟକ ଓ ଆଇଆଇସି ଗୌରହରି ସାହୁ ପହଞ୍ଚି ଉଭୟପକ୍ଷକୁ ବୁଝାସୁଝା କରିଥିଲେ। ବହୁ କଷ୍ଟରେ ଲୋକେ ଶାନ୍ତ ପଡ଼ିବା ସହ ସେଠାରୁ ଚାଲି ଯାଇଥିଲେ।

ପରବର୍ତ୍ତୀ ସମୟରେ ବିପକ୍ଷ ଗୋଷ୍ଠୀର ଶତାଧିକ ମହିଳା ଓ ପୁରୁଷ ଥାନାରେ ପହଞ୍ଚି ଭତ୍ତା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ନକରିବା ପର୍ୟ୍ୟନ୍ତ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଏପରିକି ଗତକାଲି ରାତିଠାରୁ ଆଜି ମଧ୍ୟାହ୍ନ ପର୍ୟ୍ୟନ୍ତ ଧାରଣା ଚାଲିଥିଲା। ଥାନା ସମ୍ମୁଖରେ ହିଁ ଆନ୍ଦୋଳନ କାରୀମାନେ ରୋଷେଇ କରି ଖାଇଥିଲେ। ଯାହାଫଳରେ ଥାନାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା।