କୃଷକ ଆନ୍ଦୋଳନକୁ ସମର୍ଥନ କରି ଓକିଲଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଟିକ୍ରି ସୀମାରେ ରବିବାର ପଞ୍ଜାବର ଫଜିଲ୍କା ବାସିନ୍ଦା ଜଣେ ଓକିଲ ଅମରଜିତ୍ ସିଂ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ରିପୋର୍ଟ ଅନୁଯାୟୀ ଅମରଜିତ୍ ବିଷ ପାନ କରିଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ରୋହତକ୍ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ଚିଠି ତାଙ୍କ ପକେଟରୁ ମିଳିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ‘ସ୍ୱେଚ୍ଛାଚାରୀ ମୋଦୀ’ ବୋଲି ସମ୍ବୋଧନ କରିଛନ୍ତି।
ଚିଠିରେ ଲେଖାଯାଇଛି ଯେ, କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି, ଯାହା ଦ୍ୱାରା ସରକାର ଚାଷୀଙ୍କ ଦାବି ଶୁଣିବାକୁ ବାଧ୍ୟ ହେବେ। ତେବେ ଘଟଣା ବିଷୟରେ ସୂଚନା ମିଳିବା ପରେ ଚିଠିଟି ଅମରଜିତ୍ ଲେଖିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ଅମରଜିତ୍ଙ୍କ ପୂର୍ବରୁ ଅନ୍ୟ ଦୁଇଜଣ ମଧ୍ୟ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିଥିଲେ।