ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନିଲେନି ନାଇଟକର୍ଫ୍ୟୁ କଟକଣା। ଗୀତ ନାଚରେ ମସଗୁଲ ଥିଲେ ସମସ୍ତେ। ପାର୍ଟି ପୁରା ଧୁମ୍ଧାମରେ ଚାଲିଥିଲା ଆଉ ଠିକ୍ ସେହି ସମୟରେ ଚଢ଼ଉ କଲା ବିଏମସି। ଗତକାଲି ରାଜଧାନୀରେ ବିଳମ୍ବିତ ରାତି ଯାଏଁ କୋଭିଡ୍ ନିୟମ ଉଲ୍ଲଂଘନ କରି ଏକ ବାର ଚାଲିଥିଲା। ଯେଉଁଠି ଶହ ଶହ ଲୋକଙ୍କ ଭିଡ ମଧ୍ୟ ରହିଥିଲା। ରାଜଧାନୀରେ ଏହି ରଙ୍ଗିନ ଡ୍ୟାନ୍ସ ଚାଲିଥିବା ବେଳେ ପହଞ୍ଚିଯାଇଥିଲା ପୁଲିସ ଓ ବିଏମସି।
ସୂଚନା ଅନୁସାରେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଟି ବାରକୁ କୋଭିଡ଼ ନିୟମ ଉଲ୍ଲଂଘନ ହେତୁ ସିଲ୍ କରିଛି ବିଏମସି। ଚନ୍ଦ୍ରଶେଖରପୁରର ଏମ୍ବାସି ବାର ସମେତ ଆଉ ଏକ ବାରରେ ବିଏମସିର ସ୍ୱତନ୍ତ୍ର ଟିମ୍ ଏବଂ କମିସନରେଟ୍ ପୁଲିସ ମିଳିତ ଚଢ଼ଉ କରି ସିଲ୍ କରିଛନ୍ତି।
ରାଜଧାନୀରେ ୨ଟି ବାର୍ ସିଲ୍ ହେବା ସହିତ ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କମିସନରେଟ ପୁଲିସର ସୂଚନା ଅନୁଯାୟୀ ଏମାନଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ କଟାଯିବା ସହିତ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।