ମାଓବାଦୀଙ୍କ ଦ୍ୱାରା ହତ୍ୟା ପରେ ୪୮ ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଲା ଶବ, ଆସିଲାନି ପୁଲିସ

ଜନତାଙ୍କ ନିକଟରେ ଆତ୍ମ ସମର୍ପଣ ନକଲେ ପାର୍ଟି ବିରୋଧିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ପଣସପୁଟ ପଞ୍ଚାୟତର ଜାମଗୁଡ଼ା ହାଟକୁ ଯାଇ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ଗତ ୨୩ ତାରିଖରେ ଅପହରଣ କରି ନେଇ ହତ୍ୟା କରିଥିଲେ। ଯୋଡ଼ାମ୍ବ ପଞ୍ଚାୟତ ସଦର ମହକୁମାର ଦୀନବନ୍ଧୁ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ନେଇ ଜାମଗୁଡ଼ା ହାଟରୁ ଫେରୁଥିବା ବେଳେ ମାଓବାଦୀମାନେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଡାକି ନେବା ସହ ଦୀନବନ୍ଧୁଙ୍କୁ ହତ୍ୟା କରିଥିଲେ। ସେହିପରି ପତ୍ନୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ମାଓବାଦୀମାନେ ଯୋଡ଼ାମ୍ବ ଗ୍ରାମବାସୀଙ୍କୁ ଘରୁ ବାହାରକୁ ବାହାରିବା ନ ବାହାରିବା ପାଇଁ ଚେତାବନୀ ଦେଇଥିବା ବେଳେ ସେମାନେ ଏହାକୁ ଅମାନ୍ୟ କରି ହାଟକୁ ଆସିଥିବାରୁ ଏଭଳି ହତ୍ୟା କରାଯାଇଛି ବୋଲି ଦୀନବନ୍ଧୁଙ୍କ ସ୍ତ୍ରୀଙ୍କୁ ମଧ୍ୟରେ ସନ୍ଦେସ ପଠେଇଛନ୍ତି। ଏହି ଘଟଣାର ୨୪ ଘଣ୍ଟା ପର୍ଯ୍ୟନ୍ତ ପୁଲିସ କୌଣସି ଟେର ପାଇନଥିବା ବେଳେ କେବଳ ଅନୁସନ୍ଧାନ ଜାରି ରହିଥିବା ପ୍ରକାଶ କରିଥିଲା। ତେବେ ହତ୍ୟାର ୪୮ ଘଣ୍ଟା ପର୍ଯ୍ୟନ୍ତ ଶବ ରାସ୍ତା କଡ଼ରେ ପଡ଼ି ରହିବା ସତ୍ତେ୍ୱ ପୁଲିସ ନ ପହଞ୍ଚିବାରୁ ବାଧ୍ୟ ହୋଇ ଶବକୁ ସ୍ଥାନୀୟ ଲୋକେ ଏକ ମୋଟର ସାଇକେଲରେ ଶବକୁ ହନ୍ତାଳଗୁଡ଼ା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଏକ ପିକ୍ଅପ୍ ଭ୍ୟାନ ଯୋଗେ ଚିତ୍ରକୋଣ୍ଡା ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିଲା।

ପୁଲିସ ସର୍ବଦା ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଥିବା ପ୍ରକାଶ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା ପରେ ମଧ୍ୟ ତାର ମୃତଦେହକୁ ଆଣିବା ପାଇଁ ସ୍ଥାନୀୟ ପୁଲିସ ବ୍ୟବସ୍ଥା କରିନଥିବାରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ ମାଓବାଦୀମାନେ ଏକ ଚିଠି ମାଧ୍ୟମରେ ଯୋଡ଼ାମ୍ବ, ଜନ୍ତୁରାଇ ଓ ସିନ୍ଧିପୁଟ ଗ୍ରାମ ଲୋକେ ଜୀବନ ବଞ୍ଚାଇବାକୁ ଚାହୁଁଥିଲେ ସାଧାରଣ ଜନତାଙ୍କ ନିକଟରେ ପାର୍ଟି ବିରୋଧିମାନେ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ନଚେତ ଏଭଳି ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ଯେଉଁମାନେ ପୁଲିସ ପାଇଁ ସୂଚନା ଦାତା ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛନ୍ତି। ଦୀନବନ୍ଧୁଙ୍କୁ ମଧ୍ୟ ପାର୍ଟି ବିରୋଧି କାର୍ଯ୍ୟ ପାଇଁ ଏଭଳି ଦଣ୍ଡ ମିଳିଛି।