ଥାଳି ବାଡେଇ ମୋଦୀଙ୍କ ‘ମନ୍ କି ବାତ୍’କୁ ବିରୋଧ କଲେ କୃଷକ

ନୂଆଦିଲ୍ଲୀ,ଏଜେନ୍ସି: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୨ ଦିନ ଧରି ଆନ୍ଦୋଳନ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ କୃଷକମାନେ ଥାଳି ବାଡେଇ ବିରୋଧ କରିଛନ୍ତି। ଭାରତୀୟ କୃଷକ ମହାସଂଘର ଜାତୀୟ ମୁଖପାତ୍ର ରାକେଶ ଟୀକାୟତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେପରି କହିଥିଲେ ଯେ ଥାଳି ବାଡେ଼ଇଲେ କରୋନା ଦୂରେଇଯିବ, ସେହିଭଳି କୃଷକମାନେ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ପାଇଁ ଥାଳି ବାଡ଼େଇଛନ୍ତି।

ସେ କହିଛନ୍ତି ଯେ ଏହା ସରକାରଙ୍କ ପାଇଁ ଏକ ସଙ୍କେତ ଅଟେ ଯେ ସରକାର ସୁଧୁରି ଯିବେ। ସେ କହିଛନ୍ତି, ଡିସେମ୍ବର ୨୯ରେ ସରକାରଙ୍କ ସହ କୃଷକ ସଂଗଠନ ଆଲୋଚନା କରିବେ। ସେ ନୂଆ ବର୍ଷ ସମସ୍ତଙ୍କ ପାଇଁ ଶୁଭ ହେଉ ବୋଲି କହିବା ସହ ଯଦି ମୋଦୀ ଜି କୃଷି ଆଇନ ପ୍ରତ୍ୟାହାର କରନ୍ତି ତେବେ ନୂଆ ବର୍ଷ ମଧ୍ୟ କୃଷକମାନଙ୍କ ପାଇଁ ଶୁଭ ହେବ ବୋଲି କହିଛନ୍ତି।