ମାଓବାଦୀଙ୍କ ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପାପରମେଟାଲା ଥାନା ଅନ୍ତର୍ଗତ ହନ୍ତାଳଗୁଡ଼ା ଗ୍ରାମ ନିକଟ ବିଡ଼ାଲପାକନାରେ ଗତକାଲି ଅପରାହ୍ଣରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବିଡ଼ାଲପାକନାଠାରୁ ହନ୍ତାଳଗୁଡ଼ା ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତା ତଳେ ଲ୍ୟାଣ୍ଡମାଇନ ପୋତି ବିସ୍ଫୋରଣ ଘଟାଇଥିଲେ।

ବିସ୍ଫୋରଣ ଯୋଗୁଁ ରାସ୍ତାରେ ପ୍ରାୟ ଦେଢ଼ ଫୁଟ ଗର୍ତ ସୃଷ୍ଟି ହୋଇଥିବା ବେଳେ ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ସମୟରେ ଏହାର କିଛି ଦୂରରେ ସୁରକ୍ଷାକର୍ମୀମାନେ ଥିବାରୁ କୌଣସି ସୁରକ୍ଷାକର୍ମୀଙ୍କ କିଛି କ୍ଷତି ପହଞ୍ଚିନଥିବା ଜଣାପଡ଼ିଛି। ପରେ ବିଏସ୍ଏଫର ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଅଞ୍ଚଳ ଗସ୍ତକରି ରାସ୍ତାକୁ ସମତୁଲ କରିଥିବା ଜଣାପଡ଼ିଛି। ଗତକିଛି ଦିନ ହେଲା ସ୍ଥାନୀୟ ଲୋକେ ଓ ମାଓବାଦୀଙ୍କ ମଧ୍ୟରେ ବିକାଶମୂଳକ କାର୍ଯ୍ୟକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ବର୍ତ୍ତମାନ ରାସ୍ତାରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣ ସାଧାରଣରେ ଆତଙ୍କ ଖେଳାଇଛି। ସ୍ୱତନ୍ତ୍ର ବିଏସ୍ଏଫ୍ ଯବାନଙ୍କୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ ଘଟାଇଥିବା ଅନୁମାନ କରାଯାଉଛି।