ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଅରବିନ୍ଦ କେଜରିୱାଲ, ଶପଥ ପାଠ କରାଇଲେ ଲେପ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ବିଧାନସଭା ନିର୍ବାଚନରେ ୬୨ଟି ଆସନରୁ ବିଜୟୀ ହୋଇ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ଆଜି ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଲେପ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଶପଥ ପାଠ ପରେ ପ୍ରଥମେ ମନୀଷ ସିସୋଦିଆ ଶପଥ ପାଠ କରିଛନ୍ତି। ତାଙ୍କ ପରେ ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗେହଲଟ୍, ଇମ୍ରାନ ହୁସେନ୍ ଓ ରାଜେନ୍ଦ୍ର ଗୌତମ ଶପଥ ପାଠ କରିଛନ୍ତି। ତେବେ କେଜ୍ରିୱାଲଙ୍କ ଶପଥ ପାଠ କାର୍ୟ୍ୟକ୍ରମରେ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା ଉପସ୍ଥିତ ଥିଲେ।

ଶପଥ ପାଠ ପରେ କେଜ୍ରିୱାଲ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଏହା ମୋର ନୁହେଁ ଦିଲ୍ଲୀବାସୀଙ୍କ ବିଜୟ। ମୁଁ ଭୋଟ୍ ଦେଇଥିବା ଏବଂ ନଦେଇଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ। ମୁଁ ଦିଲ୍ଲୀବାସୀଙ୍କ ଜୀବନ ମଙ୍ଗଳମୟ କରିବାକୁ ଚେଷ୍ଟା କରିବି। ନିର୍ବାଚନ ସମୟରେ ଯେଉଁ ଉଚ୍ଚନୀଚ୍ଚ ହୋଇଛି ତାହା ଭୁଲି ଯାଆନ୍ତୁ। ଆମେ କେନ୍ଦ୍ର ସହ ମିଶି କାମ କରିବୁ।

ଆପଣ କୌଣସି ବି ଦଳ କିମ୍ବା ଧର୍ମର ହୁଅନ୍ତୁ, ଯଦି କାମ ଅଛି ମୋ ନିକଟକୁ ଆସିବେ। ଦିଲ୍ଲୀର ପ୍ରକୃତ ନିର୍ମାତା ଦିଲ୍ଲୀର ସାଧାରଣ ଜନତା। ଦେଶରେ ଦିଲ୍ଲୀ ଠାରୁ ନୂତନ ରାଜନୀତିର ଶୁଭାରମ୍ଭ ହୋଇଛି। ଦିଲ୍ଲୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଆବଶ୍ୟକ। ମୁଁ ସମସ୍ତଙ୍କ ସହ ମିଶି କାମ କରିବାକୁ ଚାହୁଁଛି। ବିଜୁଳି, ଶିକ୍ଷା, ସ୍ଵାସ୍ଥ୍ୟ ପାଇଁ ଦିଲ୍ଲୀ ଦେଶରେ ମଡେଲ ସାଜିଛି।