ବିଗୁଡୁଛି ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ରାଞ୍ଚି,ଏଜେନ୍ସି: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ତାଙ୍କ ଜେଲ ଚିକିତ୍ସକ ଡକ୍ଟର ଉମେଶ ପ୍ରସାଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲାଲୁଙ୍କ କିଡନୀ ୨୫ ପ୍ରତିଶତ କାମ କରୁଛି ଏବଂ ଏହା କେତେବେଳେ ବି ବନ୍ଦ ହୋଇଯାଇ ପାରେ। ଗତ କିଛିଦିନ ତଳେ ହଠାତ ଅସୁସ୍ଥ ହୋଇ ଲାଲୁ ଯାଦବ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ (ରିମ୍ସ)ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର କିଡ଼ନୀ ଅବସ୍ଥା ଭଲ ନଥିବା ସହ ଏହା ୨୫ ପ୍ରତିଶତ ହିଁ କାମକରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ ୨୦ ବର୍ଷ ହେବ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ଯାହା ଫଳରେ ତାଙ୍କର କିଡ଼ନୀ ଖରାପ ହୋଇଯାଇଥିବା କୁହାଯାଉଛି।

ତେଣୁ ଏହି ପରିସ୍ଥିତିରେ ଲାଲୁଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର ନ କରିବାକୁ ଡ. ପ୍ରସାଦ କହିଛନ୍ତି। ଏଥିସହିତ ତାଙ୍କର କିଡ଼ନୀକୁ କୌଣସି ମେଡ଼ିସିନ ଦ୍ୱାରା ଭଲ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ ଚାରା ଘୋଟାଲାରେ ଲାଲୁଙ୍କୁ ଗିରଫ କରାଯାଇ ଦୁମୁକା ଜେଲରେ ରଖାଯାଇଥିଲା। ଏନେଇ ଶୁକ୍ରବାର ଝାଡଖଣ୍ଡ ହାଇକୋର୍ଟରେ ୬ ସପ୍ତାହ ଜାମିନ ଆବେଦନ ହୋଇଥିବାବେଳେ ଏହାକୁ କୋର୍ଟ ପକ୍ଷରୁ ଖାରଜ କରାଯାଇଥିଲା।