ଲଖିମପୁର ହିଂସା ମାମଲା: ପୂର୍ବତନ ହାଇକୋର୍ଟ ଜଜ୍‌ଙ୍କୁ ତଦାରଖ ଦାୟିତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଟୋବର ୩ରେ ଲଖିମପୁର ଖେରି ହିଂସା ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାର ଯେଉଁ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋମବାର ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

ରାଜ୍ୟ ସରକାର ଯେଭଳିଭାବେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ତାହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଣଜିତ ସିଂହ କିମ୍ବା ଜଷ୍ଟିସ ରାକେଶ କୁମାର ଜୈନଙ୍କ ମଧ୍ୟରୁ ଜଣଙ୍କୁ ମାମଲାର ତଦାରଖ ଦାୟିତ୍ୱ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଚାର୍ଜସିଟ୍ ଦାଖଲ ହେବାପର୍ଯ୍ୟନ୍ତ ବିଚାରପତି ସମସ୍ତ ପ୍ରକ୍ରିୟାକୁ ତଦାରଖ କରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏରଠାରୁ ଆରମ୍ଭ କରି ସାକ୍ଷୀଙ୍କ ବୟାନ ରେକର୍ଡ ଭଳି ପ୍ରସଙ୍ଗକୁ ରାଜ୍ୟ ସରକାର ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଅଦାଲତଙ୍କୁ ପ୍ରକୃତ ତଥ୍ୟ ପ୍ରଦାନ କରାଯାଉନଥିବାରୁ ମଧ୍ୟ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଅକ୍ଟୋବର ୩ରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଲଖିମପୁର ଗସ୍ତକୁ ବିରୋଧକରି ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ସେମାନଙ୍କ ଉପରେ ଗାଡି ମଡାଇ ଦିଆଯିବାରୁ ୪ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚାଷୀମାନେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିବାରୁ ମୋଟ ୮ ଜଣଙ୍କର ପ୍ରାଣହାନି ଘଟିଥିଲା ଏବଂ ୨୦ରୁ ଅଧିକ ଆହତ ହୋଇଥିଲେ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷଙ୍କୁ ଗିରଫ କରାଯାଇସାରିଛି।