ମହିଳା ଟ୍ରାଫିକ ପୁଲିସଙ୍କର ମହନୀୟତା, ଗର୍ଭ ଯନ୍ତ୍ରଣା ଭୋଗୁଥିବା ମହିଳଙ୍କର ରାସ୍ତା କଡରେ କରାଇଲେ ପ୍ରସବ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାର ମୁଖ୍ୟ ବସ ଷ୍ଟାଣ୍ଡ ନିକଟରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାଞ୍ଚ ଦିନ ମେଡିକାଲରେ ରହିବା ପରେ ମଧ୍ୟ ପ୍ରସବ ହୋଇନଥିଲା। ବରଂ ଶରୀରରେ ଅନ୍ୟ ସମସ୍ୟା ଦେଖା ଦେଇଥିଲା। ଶେଷରେ ସ୍ୱାମୀ ଓ ଶାଶୁଙ୍କ ସହ ଘରକୁ ଫେରିଯାଉଥିଲେ। ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିବା ସମୟରେ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା। ଏ ସମ୍ପର୍କରେ ନିକଟରେ ଥିବା ମହିଳା ଟ୍ରାଫିକ ପୁଲିସଙ୍କୁ ଲୋକେ ସୂଚନା ଦେଇଥିଲେ। ତେବେ ମହିଳା ଟ୍ରାଫିକ ପୁଲିସ ପ୍ରଥମେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଫଳରେ ସେ ଘଟଣାସ୍ଥଳକୁ ଯାଇ ସେଠାରେ ଟ୍ରାଫିକ ପୁଲିସରୁ ଡାକ୍ତର ବନିଯାଇଥିଲେ। କିଛି ମହିଳାଙ୍କ ସହ ମିଶି କରାଇଥିଲେ ପ୍ରସବ।

ଗୋଟିଏ ମହିଳା ହୋଇ ଆଉ ଜଣେ ମହିଳାଙ୍କର ପ୍ରସବ ବେଦନା ବୁଝିଥିଲେ ମହିଳା ଟ୍ରାଫିକ ପୁଲିସ ଜଣଙ୍କ। ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ଯୋଗେ ପ୍ରସବ କରିଥିବା ମହିଳା ଓ ଶିଶୁ କନ୍ୟା ଦୁଇଙ୍କୁ ଭଦ୍ରକ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ମହିଳା ଟ୍ରାଫିକ ପୁଲିସଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ପ୍ରସବ ହୋଇଥିବା ମହିଳା ଜଣଙ୍କ ବାଲେଶ୍ୱର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳର।