ପିପିଲି ସହଜପୁରରେ ବିଜେପି ନେତ୍ରୀଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପିପିଲିରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ରାଜ୍ୟ ବିଜେପିର ଛାମୁଆ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ଉପନିର୍ବାଚନରେ ବିଜେଡିକୁ ମାତ୍ ଦେବାପାଇଁ ପଦ୍ମ ଦଳ ଫୁଲ୍ ଦମରେ ଲାଗିଛି। ତେବେ ଇତିମଧ୍ୟରେ ଆଜି ଜଣେ ବିଜେପି ନେତ୍ରୀଙ୍କୁ ସହଜପୁର ପଞ୍ଚାୟତରେ ବିଜେଡି କର୍ମୀ ଆକ୍ରମଣ କରିଥିବାର ଦଳ ପକ୍ଷରୁ ଅଭିଯୋଗ ହେବାସହ ପିପିଲି ଥାନାରେ ଏତଲା ଦିଆଯାଇଛି।

ଏନେଇ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ପିପିଲିରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ୍ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଅସହିଷ୍ଣୁ ହୋଇ ଆକ୍ରମଣ କରିଛନ୍ତି। ଏହି ଅଞ୍ଚଳ ଛାଡ଼ି ଯିବାପାଇଁ ଧମକ ଦେଇଛନ୍ତି। ବିଗତ ଦୁଇ ତିନି ଦିନ ତଳେ ସହଜପୁର ପଞ୍ଚାୟତରେ ଗଣ୍ଡଗୋଳ ହେବାପରେ ପୁଲିସ ପାଟ୍ରୋଲିଂକୁ ଜୋରଦାର କରିବା ନେଇ ପ୍ରତିଶୃତି ଦେଇଥିଲା। କିନ୍ତୁ ଶାସକ ଦଳ ଚାପରେ ପୁଲିସ ନିଜର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନାହିଁ।

ବିଜେଡି ଏଠି ଦ୍ୱିତୀୟ ନନ୍ଦିଗ୍ରାମ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ଏବଂ ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି।
ବୁଥ୍ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବା ବେଳେ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଛନ୍ତି। ଏଥିଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି। ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ଦଳୀୟ ନେତା ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ବୁଥ୍ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଯୋଗାଯିବା ନେଇ ଦଳ ପକ୍ଷରୁ ଦାବି କରାଯାଇଛି।