ଟ୍ବିଟରରେ ଯୋଗୀଙ୍କୁ ହତ୍ୟା ଧମକ, ପୁଲିସର ତନାଘନା ଆରମ୍ଭ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତଗଣତି କେତେ ଦିନ ବାକି ରହିଥିବା ବେଳେ ରାଜ୍ୟରେ ସରଗରମ ରାଜନୈତିକ ସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ରାଜ୍ୟର କିଛି ବିଜେପି ନେତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିବାରେ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବା ପାଇଁ ଏକ ଟ୍ବିଟରେ ଧମକ ମିଳିଛି।

ତେବେ ଘଟଣା ସମ୍ପର୍କରେ ସୂଚନା ପ୍ରଘଟ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଉତ୍ତର ପ୍ରଦେଶ ପୁଲିସ। ସ୍ଥାନୀୟ ହାପୁର ପୁଲିସ ମାମଲାରେ ଏକ ଏତଲା ପଞ୍ଜୀକରଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଧମକ ଆସିଥିବା ଟ୍ବିଟର ଆକାଉଣ୍ଟରେ ଲେଡିଡନ ନାମରେ ଜଣେ ବ୍ୟବହାରକାରୀ ରହିଥିବା ବେଳେ ଏହି ଧମକପୂର୍ଣ୍ଣ ଟ୍ବିଟ ପଛରେ ଜଣେ ମହିଳା ମାଷ୍ଟରମାଇଣ୍ଡ ଥିବା ନେଇ ପ୍ରାଥମିକ ଭାବେ ଅନୁମାନ କରୁଛି ପୁଲିସ। ସାଇବର ସେଲ ସହାୟତାରେ ଟ୍ବିଟର ଯାଞ୍ଚ ଜାରି ରହିଛି।