ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ରାମନାଗୁଡା ବ୍ଲକ ଶୁଣ୍ଢିଧାମୁଣି ପଞ୍ଚାୟତ ଅଧୀନସ୍ଥ ତାଣ୍ଡିକଣା ଛକ ୩୨୬ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ରୁନା କାଡ୍ରାକା(୫୫) ଏବଂ ତାଙ୍କ ସ୍ୱାମୀ ଆଦି କାଡ୍ରାକା ରାମନାଗୁଡା ବ୍ଲକର ଶୁଣ୍ଢିଧାମୁଣି ପଞ୍ଚାୟତର ପାଲୁପାଇ ଗ୍ରାମର ବନ୍ଧୁ ଘରକୁ ଯାଇ ନିଜ ଗ୍ରାମ ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମକୁ ଚାଲି ଚାଲି ଫେରୁଥିଲେ। ସେହି ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇ ଥିବା ଗାଡିଟି ମେକ୍ସ ପିକ୍ ଅପ୍ ବୋଲି ମୃତ ମହିଳାଙ୍କ ସ୍ୱାମୀ ଆଦି କାଡ୍ରାକା ସୂଚନା ଦେଇଛନ୍ତି। ଖବରପାଇ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣାର ଅନୁସନ୍ଧାନ କରି ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ପରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି।