ଜାନୁଆରୀ ୧୧ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ

ରାୟଗଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ଥିବା ସ୍କୁଲ ଗୁଡିକ ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଖୋଲିଯାଇଛି। ଏଥିରୁ ବାଦ ପଡିନାହାନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ। ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ପଡି ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ ଆସନ୍ତା ୧୧ ତାରିଖରୁ ଖୋଲିବା ନେଇ ନିଷ୍ପତି ପରେ ରାୟଗଡ଼ାରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

ଏନେଇ ବାରମ୍ବାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବୈଠକ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ତେବେ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ କି ନାହିଁ ତାହା ଅଭିଭାବକଙ୍କ ଇଚ୍ଛାଧୀନ ବିଷୟ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ। ଛାତ୍ରଛାତ୍ରୀମାନଙ୍କ ସ୍କୁଲରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବ। କୌଣସି ଅଟୋ କି କୌଣସି ଗାଡି ମୋଟରରେ ଏକରୁ ଅଧିକ ଛାତ୍ରଛାତ୍ରୀ ଆସିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା।