ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଦଳର ପୂର୍ବତନ ପେସର୍ ଅବେ କୁରୁଭିଲ୍ଲା ବିସିସିଆଇର ମହାପ୍ରବନ୍ଧକ (କ୍ରିକେଟ୍ ପରିଚାଳନା) ଦାୟିତ୍ୱ ନେବେ। ଏନେଇ ବୁଧବାର ଅନୁଷ୍ଠିତ ବିସିସିଆଇ ଆପେକ୍ସ କାଉନ୍ସିଲ୍ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଖେଳାଳି ଜଣକ ଗତବର୍ଷ ଚୟନ କମିଟିରେ ସ୍ଥାନ ପାଇଥିଲେ ହେଁ ଏହି ପଦରୁ ଇସ୍ତଫା ଦେଇସାରିଛନ୍ତି। ଧୀରଜ ମାଲହୋତ୍ରା ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ସହ କାର୍ଯ୍ୟ କରିବା ସକାଶେ କିଛି ମାସ ତଳେ ଇସ୍ତଫା ଦେବା ପରେ ଏହି ପଦଟି ଖାଲି ପଡ଼ିଛି।
ଗତବର୍ଷ କୁରୁଭିଲ୍ଲା ପୂର୍ବତନ ପେସର୍ ଅଜିତ୍ ଅଗରକରଙ୍କୁ ପଛରେ ପକାଇ ପଶ୍ଚିମାଞ୍ଚଳ ପକ୍ଷରୁ ବିସିସିଆଇ ଚୟନ କମିଟିରେ ସ୍ଥାନ ପାଇଥିଲେ। ତେବେ ସେ ଚାରି ବର୍ଷ ଧରି ଜୁନିୟର୍ ଚୟନ କମିଟିର ସଦସ୍ୟ ଥିବାରୁ ସର୍ବମୋଟ ୫ ବର୍ଷ କାର୍ଯ୍ୟ କରିବାର ନିୟମ ଅନୁସାରେ ଚୟନ କମିଟି ସଦସ୍ୟତା ଛାଡ଼ିଛନ୍ତି।