କୁଡୁମୁଲୁଗୁମ୍ମା ଫାଣ୍ଡି ପୁଲିସ ଦ୍ୱାରା ୪୧ କିଲୋ ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଫାଣ୍ଡି ଅନ୍ତର୍ଗତ ତୁମରକୋଣ୍ଡା ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ଠାରେ ଅପେକ୍ଷା କରିଥିବା ଦୁଇ ଯୁବକଙ୍କ ଠାରୁ ପୁଲିସ ୪୧ କିଲୋ ୮୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ୯ଟା ୪୦ରେ ଏଏସଆଇ କୃତିବାସ ବେହେରା ଏବଂ ତାଙ୍କ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ୨ ଯୁବକ ଦୁଇଟି ବ୍ୟାଗ ଧରି ତୁମରକୋଣ୍ଡା ଯାତ୍ରୀ ବିଶ୍ରାମଗାର ଠାରେ ଅପେକ୍ଷା କରିଥିଲେ।

ସନ୍ଦେହରେ ପୁଲିସ କ’ଣ ବ୍ୟାଗରେ ଧରିଚ ବୋଲି ପଚାରିବାରୁ ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ନହେବାରୁ ବ୍ୟାଗ ଦୁଇଟିକୁ ତନାଘନା କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଦୁଇ ଅଭିଯୁକ୍ତକୁ ଗିରଫ କରି ଓରକେଲ ଥାନାକୁ ଅଣାଯାଇଥିଲା।

ଦୁଇ ଅଭିଯୁକ୍ତ ହେଲେ ଲକ୍ଷ୍ମଣ ପାଙ୍ଗି(୨୦) ବାଲିମେଳା ସହରର ଝାଟିମାଟି ଲାଇନ ସ୍ଥିତ ଏବଂ ଅନ୍ୟ ଜଣେ ଆକାଶ ଖରା(୨୧) ବାଲିମେଳା ସହର ର ଡ୍ରଗ ଲାଇନ ର ବୋଲି ଜଣାପଡିଛି। ଦୁହିଁଙ୍କୁ ପଚରାଉଚରା ବେଳେ ଏଥିରେ ଅନ୍ୟ କିଛି ବ୍ୟକ୍ତି ସାମିଲ ଥିବା ଏବଂ ଚୋରା ଗଞ୍ଜେଇକୁ ବାଲିମେଳାରୁ ପଡୋଶୀ ରାଜ୍ୟ ଆନ୍ଧ୍ରର ବିଶାଖାପାଟଣାକୁ ଏହି ଗଞ୍ଜେଇ ନେଇ ଯାଉଥିବା ତଦନ୍ତକାରୀ ଅଧିକାରୀ ନୀଳାଦ୍ରି ବିଶ୍ୱାଳ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଆଜି କେସ୍ ନଂ-୪୯/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।