ଦେଶର ଶ୍ରେଷ୍ଠ ତାଲିକାରେ କୁଚିଣ୍ଡା ଥାନା

ସମ୍ବଲପୁର,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ କାର୍ଯ୍ୟ ପାଇଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନାକୁ ଦେଶର ଶ୍ରେଷ୍ଠ ଥାନା ତାଲିକାରେ ସ୍ଥାନିତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସର୍ଭେରେ ୨୦୧୯ ବର୍ଷ ପାଇଁ କୁଚିଣ୍ଡା ଥାନା ରାଜ୍ୟର ଶ୍ରେଷ୍ଠ ଥାନା ବିବେଚିତ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିଲା।

ଏଥିରେ ବିଭିନ୍ନ ମାନକ ଯଥା- ଅପରାଧ ନିୟନ୍ତ୍ରଣ, ଜନସମ୍ପର୍କ, ଥାନାର ଭିତ୍ତିଭୂମି, ଜନସାଧାରଣଙ୍କୁ ସେବା ଓ ସୁବିଧା ପ୍ରଦାନ, ଅଭିଯୋଗକାରୀଙ୍କୁ ସହାୟତା ତଥା ସଦବ୍ୟବହାର, ପାଟ୍ରୋଲିଂ, ଆଇନଶୃଙ୍ଖଳା ରକ୍ଷା ପ୍ରଭୃତି ବାବଦରେ ଅନୁଧ୍ୟାନ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ବ୍ୟକ୍ତିବିଶେଷ ଏବଂ କୁଚିଣ୍ଡା ସହରର ସାଧାରଣ ନାଗରିକଙ୍କ ମତାମତ ଆଧାରରେ ଏହି ର୍ୟାଙ୍କିଂ କରାଯାଇଛି। ଏବେ ରାଜ କିଶୋର ମିଶ୍ର କୁଚିଣ୍ଡାର ଏସଡିପିଓ ଏବଂ ପିକେ କର୍ଣ୍ଣ ଥାନାର ଆଇଆଇସି ଅଛନ୍ତି। ସୂଚନାଯୋଗ୍ୟ, ଗତଥର ସୋନପୁର ଜିଲ୍ଲାର ତରଭା ପୁଲିସ ଥାନା ରାଜ୍ୟରେ ପ୍ରଥମ ରାଙ୍କ୍ ହାସଲ କରିଥିଲା।