“ନିତିଦିନ”ର ପ୍ରଭାବ : କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ ଅଧୀନସ୍ଥ ବଣ୍ଡଗୁଡା ପଞ୍ଚାୟତର କୃଷ୍ଣଚନ୍ଦ୍ର ସାହୁଙ୍କ ବାସଗୃହଟି ଗତ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ଗତ ଅଗଷ୍ଟ ୯ ତାରିଖରେ ଖବର ପ୍ରକାଶିତ ହେବାପରେ ପ୍ରଶାସନ ତପ୍ତର ହୋଇ ଉଠିଥିଲା। କ.ନୂଆଗାଁ ତହସିଲଦାର ଶଶାଙ୍କ ଶେଖର ପାତ୍ର କୃଷ୍ଣଚନ୍ଦ୍ରଙ୍କ ପରିବାର ନିକଟରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରିଥିଲେ।

ବୁଧବାର କ.ନୂଆଗାଁ ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ୧,୦୫,୭୦୦ର ସହାୟତା ପ୍ରଦାନ କରାଯାଇଛି। ବୁଧବାର କ.ନୂଆଗାଁ ତହସିଲଦାର କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ସାକ୍ଷାତ କରି ସହାୟତା ସମ୍ପର୍କରେ ଜଣାଇବାପରେ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏଥି ନିମନ୍ତେ କୃଷ୍ଣଚନ୍ଦ୍ରଙ୍କ ପରିବାର ଓଡିଶା ସରକାର, କନ୍ଧମାଳ ଜିଲ୍ଲାପାଳ, କ.ନୂଆଗାଁ ତହସିଲଦାର, ବଣ୍ଡଗୁଡାର ସମାଜସେବୀ ବିଜୟ କୁମାର ସାହୁ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।