ଅନ୍ତର୍ଜାତୀୟ ସଙ୍ଗୀତ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ କୋଟପାଡ଼ ଝିଅ

କୋରାପୁଟ,ଏନ୍ଏନ୍ଏସ୍ : ନୃତ୍ୟ ଓ ସଙ୍ଗୀତର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ଅକ୍ସ ଦ୍ୱାରା ଅନଲାଇନ ମାଧ୍ୟମରେ ଆୟୋଜିତ ଅନ୍ତର୍ଜାତୀୟ ସଙ୍ଗୀତ ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲା କୋଟପାଡ଼ର ଝିଅ ମନିଷା ଦାଶ ତୃତୀୟ ସ୍ଥାନ ହାସଲ କରଛନ୍ତି। ଚୀନ ସୈନ୍ୟଙ୍କ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସମ୍ମାନାର୍ଥେ ସ୍ୱାଧୀନତା ଦିବସ ଅବସରରେ ଅକ୍ସ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅକ୍ସର ଅଧ୍ୟକ୍ଷା ଡା.ଚନ୍ଦନା ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଯୋଗିତାର ଶେଷ ରାଉଣ୍ଡରେ ୮୦ଜଣ କଣ୍ଠଶିଳ୍ପୀ ଅଂଶଗ୍ରହଣ କରିଥିବାବେଳେ କୋଟପାଡ଼ର ମନିଷା ଦାଶ କନିଷ୍ଠ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅକ୍ସ ଦ୍ୱାରା ମନିଷାଙ୍କୁ ନଗଦ ୧୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଅନଲାଇନ୍ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବିଶିଷ୍ଟ ଗାୟକ ପଦ୍ମଶ୍ରୀ ଅନୁପ ଜୋଲଟା ଏବଂ ଆଇପିଏସ୍ ଅଧିକାରୀ ସଞ୍ଜୀବ ପାଟ୍ଟଯୋଶୀ ସମ୍ମାନୀତ ଅତିଥିଭାବେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମନିଷା କୋଟପାଡ଼ର ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ସନାତନ ଦାଶ ଓ ସୁକାନ୍ତି ଦାଶଙ୍କ ଏକମାତ୍ର ଝିଅ। ମନିଷାଙ୍କ ଏହି ସଫଳତାରେ କୋଟପାଡ଼ ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ. ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।