ବନ୍ୟା ପୀଡିତଙ୍କୁ କ୍ଷତିପୂରଣ ଦାବି ନେଇ କୋଶଲ ସେନାର ବିକ୍ଷୋଭ

ବରଗଡ଼,ଏନ୍ଏନ୍ଏସ୍: ହୀରାକୁଦ ପଛୁଆ ପାଣିରେ ପ୍ରଭାବିତ ଅମ୍ବାଭୋନା ବ୍ଲକର ବନ୍ୟା ପୀଡିତଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛି କୋଶଳ ସେନା । ଏ ନେଇ କୋଶଲ ସେନା ପକ୍ଷରୁ ଏକ ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବିପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ଦାବିପତ୍ରରେ ଅମ୍ବାଭୋନା ବ୍ଲକ ଚିଖିଲି , ବଡମାଲ, ଅନ୍ତରାଡି, ଘୁଘୁରାପାଲି, ବେନିଆଁପାଲି ଆଦି ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିକୁ ଆବାସ ଯୋଜନାରେ ପକ୍କା ଘର ଦିଆଯିବାକୁ ଦାବି କରାଯାଇଛି । ସେହିପରି ହୀରାକୁଦର ପଛୁଆ ପାଣିରେ ଉପରୋକ୍ତ ଅଞ୍ଚଳର ପ୍ରାୟ ୨ ହଜାର ଏକର ଧାନ ତଥା ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଚାଷୀଙ୍କୁ ଶତପ୍ରତିଶତ କ୍ଷତିପୂରଣ କରାଯିବା ସହ ଜଳଭଣ୍ଡାରରୁ ପାଣି ଗଚ୍ଛିତ ରଖାଯିବା ତଥା ନିଷ୍କାସନ ସମୟରେ ବୁଡି ଅଞ୍ଚଳ ପ୍ରତି ସରକାର ଧ୍ୟାନ ଦେବାକୁ ଦାବି କରାଯାଇଛି । ୧୫ ଦିନ ମଧ୍ୟରେ ବନ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ କୋଶଲ ସେନା ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । କୋଶଲ ସେନା ପକ୍ଷରୁ ସୁଶାନ୍ତ ମିଶ୍ର, ବିରବଲ ମହାକୁର, ଅର୍ପଣ କୁମାର ନାୟକ , ଅଜିତ କୁମାର ପତି ସମେତ ବହୁ କର୍ମକର୍ତା ସାମିଲ ହୋଇଥିଲେ ।