କରୋନାରେ କୋରାପୁଟ ଟାଉନ୍ ଥାନା ଅଧିକାରୀଙ୍କ ପରଲୋକ

କୋରାପୁଟ,ଏନ୍ଏନ୍ଏସ୍ : କରୋନା ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରୁଥିବା କୋଭିଡ ଯୋଦ୍ଧା କୋରାପୁଟ ଟାଉନ୍ ଥାନାଧିକାରୀ ପୀତବାସ ଧାରୁଆ(୪୪)ଙ୍କର ପରଲୋକ ଘଟିଛି। କିଛିଦିନ ପୂର୍ବରୁ ଇନ୍ସପେକ୍ଟର ଧାରୁଆ କରୋନାରେ ଆକ୍ରାନ୍ତ ହୋଇ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସୋମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିିଛି। ଶ୍ରୀ ଧାରୁଆ କିଛି ମାସ ପୂର୍ବେ କୋରାପୁଟ ଟାଉନ୍ ଥାନାଧିକାରୀ ଭାବେ ଯୋଗ ଦେବା ପରେ ସହରର ଆଇନ୍ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ, ଓଭର୍ ସ୍ପିଡ ଓ ନାବାଳକଙ୍କ ଦ୍ୱାରା ୨ ଚକିଆ ଯାନ ଚଳାଚଳ ଓ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏଥିସହିତ ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବା ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ଶ୍ରୀ ଧାରୁଆଙ୍କ ବିୟୋଗରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଷେଫୀନ୍ ଅହମ୍ମଦ୍ କେ, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର , ଟାଉନ୍ ଏସଡିପିଓ ଗୁଣନିଧି ମଲ୍ଲିକ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଗଭୀର ଦୁଃଖପ୍ରକାଶ କରିଛନ୍ତି।