କୋରାପୁଟ,ଏନ୍ଏନ୍ଏସ୍ : ଶବ ବୁହା ଗାଡି ନଥିବାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଶିଶୁର ମୃତଦେହ ୬ ଘଂଟା କାଳ ପଡି ରହିବା ପରେ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନସରେ ମୃତଦେହ ନେଇ ଘରକୁ ଯାଇଥିବା ଜଣା ପଡିଛି।
ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ମାଝିଗୁଡା ଗ୍ରମର ଶଙ୍କର ମହାନନ୍ଦିଆଙ୍କ ୪ ବର୍ଷର ଝିଅ ଖୁସି ମହାନନ୍ଦିଆ ବାତଜ୍ୱରରେ ପଡି ରାୟଗଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଅବସ୍ଥା ଗୁରୁତର ହେବାରୁ ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ଖୁସୀ କୋରାପୁଟ ପହଂଚିଲା ବେଳକୁ ତାର ମୃତ୍ୟୁ ହୋଇ ସାରିଥିଲା । ଖୁସୀକୁ ଡାକ୍ତର ମୃତ ଘୋଷଣା କରିବା ପରେ ଖୁସୀର ମାମୁଁ ମୃତଦେହ ନେବାକୁ ମେଡିକାଲ କଲେଜର ହେଲ୍ପଡେସ୍କ ସହ ଶବ ବାହକ ଗାଡି ସମ୍ପର୍କରେ ଆଲୋଚନା କରିଥିଲେ। କିଛି ସମୟ ମଧ୍ୟରେ ଅମ୍ବୁଲାନସ୍ ଆସିବ ବୋଲି ହେଲ୍ପ ଡେସ୍କ୍ ସୂଚନା ଦେଇଥିଲେ ମଧ୍ୟ ବହୁ ସମୟ ଯାଏ ଗାଡି ଆସିନଥିଲା।
କିଛି ସମୟରେ ଗାଡି ଖରାପ ଅଛି ଏତେଦୂର ଯାଇ ପାରିବ ନାହିଁ ବୋଲି ହସ୍ପିଟାଲ୍ କର୍ତୂପକ୍ଷ ଜଣାଇଥିଲେ। କୋରାପୁଟରେ ଗାଡି ନମିଳିବାରୁ ଶେଷରେ ମୃତ ଖୁସୀର ବାପା ଶଙ୍କର ମହାନନ୍ଦିଆ ରାୟଗଡାରୁ ଏକ ଘରୋଇ ଆମ୍ବୁଲାନ୍ସ ନେଇ କୋରାପୁଟ ଆସି ଝିଅର ମୃତଦେହ ରାୟଗଡା ନେଇଥିଲେ। ତେବେ କୋରାପୁଟକୁ ରାଜ୍ୟ ସରକାର ୩ ଗୋଟି ମହାପ୍ରୟାଣ ଗାଡି ଦେବାକୁ ଘୋଷଣା କରିଥିଲେ ହେଲେ ତାହା ଗଲା କୁଆଡେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।