ନିଆଁ ଲାଗି ଭାଇ-ଭଉଣୀ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମ ନିକଟସ୍ଥ ଏକ ଇଟାଭାଟି ମଧ୍ୟରେ ଥିବା ଏକ ଅସ୍ଥାୟୀ ଗୃହରେ ଡିବିରୀ ନିଆଁ ଲାଗି ୨ ଭାଇ ଭଉଣୀ ଗୁରୁତ୍ୱର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ରଞ୍ଜନ ଦଣ୍ଡପତି ଓ ତାଙ୍କ ସ୍ତ୍ରୀ ଇଟାଭାଟି କାମ କରୁଥିବା ବେଳେ ଘରେ ତାଙ୍କର ୪ ବର୍ଷ ଶିଶୁ ପୁତ୍ର ବିଦାଂଶୁ ଦଣ୍ଡପତି ଓ ୨ ବର୍ଷର ଶିଶୁ କନ୍ୟା ବିଦ୍ୟନ୍ତି ଦଣ୍ଡପତି ଶୋଇଥିଲେ। ତେବେ ଘରରେ ଲାଗିଥିବା ଡିବିରୀର ନିଆଁ କୌଣସି ଭାବେ ଉଭୟ ଭାଇ ଭଉଣୀକୁ ଲାଗିବା ଫଳରେ ଉଭୟ ଗୁରୁତ୍ୱର ଆହତ ହୋଇଥିଲେ। ଏହାଦେଖି ପିତା ମାତା ସଙ୍ଗେ ସଙ୍ଗେ ଗ୍ରାମାବୀସଙ୍କ ସହାୟତାରେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିିକିତ୍ସାଳୟରେ ଭର୍ତି କରାଇଥିଲେ। ସେଠାର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତ୍ୱର ହେବାରୁ କୋରାପୁଟ ସ୍ଥାନାନ୍ତରୀତ କରାଯାଇଛି। ଏମାନଙ୍କ ନିଜ ଘର କୋରାପୁଟ ଜିଲ୍ଲାର କୋଟପାଡ ଅଂଚଳର କୁସୁମି ଗ୍ରାମରେ ବୋଲି ଜଣାପଡ଼ିଛି।

ଉଭୟ ଶତକଡ଼ା ଶିଶୁ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନାମାକୁ ବେଖାତିର କରି ମାଲକାନଗିରି ଜିଲ୍ଲାରେ ଏଭଳି ବେଧଡ଼କ ବେଆଇନ ମାଟି ଇଟାଭାଟି ଚାଲିଥିବା ବେଳେ ଜିଲ୍ଲାର ପ୍ରଶାସନର ଖାମଖିଆଲି ନିତି ପାଇଁ ଏଭଳି ଏକ ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ଜୋର ଧରିଛି। ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସଲାସୁତୁରାରେ ଏଭଳି ମାଟି ଇଟାଭାଟି ଚାଲିଥିବାରୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ପ୍ରତିବର୍ଷ ଏଭଳି ବେଆଇନ ଇଟାଭାଟି ଗଢ଼ି ଉଠୁଛି। ଜିଲ୍ଲା ସଦର ମହକୁମାର ଏମ.ଭି-୦୨, ଗୌଡ଼ଗୁଡ଼ା, ଏମ.ଭି-୦୧, ତଳସାହି ନିକଟରେ ବିସ୍ତୀର୍ଣ୍ଣ ଅଂଚଳରେ ଏହି ସମସ୍ତ ଇଟାଭାଟି ଗଢ଼ିଉଠିଛି। ଏହି ଇଟାଭାଟି ଦ୍ୱାରା ଜଳ ସ୍ତର ହ୍ରାସ ପାଇବା ସହ ଏହାର ଧୂଆଁରେ ସ୍ୱାସ୍ଥ୍ୟ ଖରାପ ହେଉଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଚାଷ ଜମିଠାରୁ ଦୂରରେ ଭାଟି ର୍ନିମାଣ କରିବାକୁ ନିୟମ ଥିବା ବେଳେ ଏହା ଚାଷ ଜମି ନିକଟରେ ର୍ନିମାଣ ହୋଇଥିବା ଦେଖାଯାଇଛି। ଗତ ୨୦୧୨ ମସିହା ମେ ୧୫ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପଡ଼ିଥିବା ରିଟ ପିଟିସନରେ ବିଚାର କରି ମାଟି ଇଟା ନିର୍ମାଣ ବେଆଇନ ଘୋଷଣା କରିବା ସହ ସମସ୍ତ ରାଜ୍ୟର ମୂଖ୍ୟ ଶାସନ ସଚିବଙ୍କୁ ଏହା ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ଆଖିଠାର କରି ଦେଇଛି। ଏଭଳି ଇଟାଭାଟି ଯୋଗୁଁ କିଛି ଶିକ୍ଷିତ ବେକାର ବ୍ୟାଙ୍କରୁ ଋଣ ନେଇ ସିମେଂଟ ଇଟା କାରାଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ଠିକ ଭାବେ ବ୍ୟବସାୟ ହେଉନଥିବାରୁ ବ୍ୟାଙ୍କ ଋଣ ପରିଶୋଧ କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶାସନ ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଲେ ଏଭଳି ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ମତପ୍ରକାଶ ପାଇଛି।