କୋରାପୁଟ,ଏନ୍ଏନ୍ଏସ୍: ରାଜରାସ୍ତାରେ ଜଣେ ମହିଳାଙ୍କୁ ପୁଲିସ୍ ସବଇନ୍ସପେକ୍ଟର ଅଶ୍ଳୀଳ ଭାଷାରେ ଗାଳି ଦେବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଏସପି ମୁକେଶ କୁମାର ଭାମୁ ଘଟଣାର ତଦନ୍ତ କରିବାକୁ ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଦ୍ରୁତ ଗାଡ଼ି ଚାଳନା ଓ ମାସ୍କ ପିନ୍ଧିନଥିବା ଘଟଣାକୁ ନେଇ ଦାମନଯୋଡ଼ିି ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ତାଗିଦ କରିଥିଲା। ଏହାକୁ ନେଇ ସମ୍ପୃକ୍ତ ଯୁବକର ମା’ ଓ ଦାମନଯୋଡ଼ି ଆଦର୍ଶ ଥାନାର ସବଇନ୍ସପେକ୍ଟର ଦୁର୍ଗାମାଧବ ବାଗଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଘଟଣା ହାତାହାତି ପର୍ଯ୍ୟନ୍ତ ଯିବାରୁ ମହିଳା ପୁଲିସ ଅଧିକାରୀ ଓ ଅନ୍ୟମାନେ ହସ୍ତକ୍ଷେପ କରିବା ଯୋଗୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ତେବେ ଉକ୍ତ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏସପି ମୁକେଶ କୁମାର ଭାମୁ ସବଇନ୍ସପେକ୍ଟର ବାଗଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ଥାନାରୁ ଅପସାରଣ କରିଛନ୍ତି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେବା ସହ ବାଗଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।