ଜିଲ୍ଲାସ୍ତରୀୟ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ

କୋରାପୁଟ,ଏନ୍ଏନ୍ଏସ୍: ଲୋକ ବିକାଶ ମଞ୍ଚ ଓ ମହିଳା ଲୋକ ବିକାଶ ମଞ୍ଚ କୋରାପୁଟ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଜିଲ୍ଲାସ୍ତରୀୟ ମୋ ଚାଟଶାଳୀ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। କୋରାପୁଟର ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ମହାମାରୀ କରୋନା ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ କାରଣରୁ ସୃଷ୍ଟି ହୋଇଥିବା ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବା ,ଗୁଣାତ୍ମକ ଶିକ୍ଷା ସ୍ଥିତିରେ ଉନ୍ନତି ଆଣିବା , ଗ୍ରାମାଞ୍ଚଳରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାନ ଧରଣର ଶିକ୍ଷଣ ଫଳାଫଳ ଆଣିବା , କଠିନ ସମୟରେ ଶିକ୍ଷାର ଗୁରୁତ୍ୱକୁ ଅଭିଭାବକମାନଙ୍କ ମଧ୍ୟରେ ଭାବନା ସୃଷ୍ଟି କରିବା ଆଦି ମୋ ଚାଟଶାଳୀର ଉଦ୍ଦେଶ୍ୟ ବୋଲି ଲୋକ ବିକାଶ ମଞ୍ଚର ଯୋଗେଶ ରାଜୁ ଉପସ୍ଥାପନା କରିଥିଲେ। ଇଗ୍ନୋର ଡ.ଲତିକା ମିଶ୍ର,ସାମ୍ବାଦିକ ସିଏଚ୍ ସାନ୍ତାକାର ଯୋଗଦେଇ କରୋନା ସମୟରେ ଶିକ୍ଷା ପ୍ରଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୋ ଚାଟଶାଳୀ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଭୂମିକା ସମ୍ପର୍କରେ ସ୍ପ୍ରେଡ ଅନୁଷ୍ଟାନର ସମ୍ପାଦକ ବିଦ୍ୟୁତ ମହାନ୍ତି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୋଗେଶ୍ୱର ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଅର୍ଜୁନ ଶୁକ୍ରୀ, ବିଦୂଭୂଷଣ ମହାପାତ୍ର ଗୁଣବତୀ, ଗୋପୀନାଥ ଗାଦବା, ସଦାଶିବ ଗାଦବା, ରାମଚନ୍ଦ୍ର ଭତ୍ରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।