ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟିର ସ୍ମାରକପତ୍ର

କୋରାପୁଟ,ଏନ୍ଏନ୍ଏସ୍:  ଅନ୍ତର୍ଜାତୀୟ ବଜାରରେ ତୈଳଦର କମ ଥିଲେ ମଧ୍ୟ କେନ୍ଦ୍ରସରକାର ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରୁଥିବା ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜୟପୁର ବିଧାୟକ ତାରା ପ୍ରସଦା ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ନିମାଇ ସରକାର, ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, କୋରାପୁଟ ବିଧାୟକ ପ୍ରାର୍ଥୀ, କୃଷ୍ଣ କୁଳଦୀପ, ପିସିସି ସଦସ୍ୟ ଜଗଦିଶ ଖୋଲ୍ସା, କଂଗ୍ରେସ ନେତା ବାବୁଲା ବେନ୍ୟା, ମନୋଜ ଆଚାର୍ଯ୍ୟ, ଭଗବାନ ବାହିନୀପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମହାମାରୀ କରୋନା ସମୟରେ ଲୋକେ ରୋଜଗାର ହରାଇ ଦୟନୀୟ ସ୍ଥିତିରେ ଜୀବନ କାଟୁଥିବାବେଳେ କେନ୍ଦ୍ରସରକାର ଗରିବଙ୍କ କଥା ଭୁଲି ଯାଇ ଶିଳ୍ପପତିମାନଙ୍କୁ ଆପ୍ୟାୟିତ କରିବାକୁ ପେଟ୍ରୋଲ ଡିଜେଲ ଦର ବଢାଇ ଚାଲିଛନ୍ତି ବୋଲି ବିଧାୟକ ବାହିନୀପତି କହିଥିଲେ।