ପ୍ରଧାନଶିକ୍ଷକଙ୍କ ଅଶ୍ଳୀଳ ବ୍ୟବହାର, ଜିଲ୍ଲାପାଳଙ୍କ ନିକଟରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ସେଠୀ ଶିକ୍ଷୟିତ୍ରୀମାନଙ୍କୁ ଆଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ଏନେଇ ଶିକ୍ଷୟିତ୍ରୀମାନେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖାଲି ଏତିକି ନୁହେଁ ଯଦି କେହି ତାଙ୍କୁ ବିରୋଧ କରନ୍ତି ତେବେ ସେ ଉପରିସ୍ଥ ଅଧିକାରୀଙ୍କୁ କହି ବଦଳି କରିଦେବାର ଧମକ ଦିଅନ୍ତି ବୋଲି ଶିକ୍ଷୟିତ୍ରୀମାନେ ଉଲ୍ଲେଖ କରିଛନ୍ତି। ଏହାସହ ସ୍କୁଲର ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ହଷ୍ଟେଲରେ ପିଲାଙ୍କୁ ଦିଆଯାଉଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିଜେ କିଣନ୍ତି। ହେଲେ ଅନ୍ୟଶିକ୍ଷକ ନାଁକୁ ରେଜିଷ୍ଟରରେ ଏଣ୍ଟ୍ରି କରି ସେମାନଙ୍କଠୁ ଦସ୍ତଖତ ନେଇ ସେହି ଟଙ୍କାକୁ ହେରଫେର କରନ୍ତି। କରୋନା ସମୟରେ ପିଲାଙ୍କୁ ଦିଆଯାଉଥିବା ଟଙ୍କାକୁ ମଧ୍ୟ ସେ ପିଲାଙ୍କୁ ନଦେଇ ସେଥିରୁ ଟଙ୍କା ଖାଇଥିବା ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷକ ଶ୍ରୀ ସେଠୀଙ୍କ ନାମରେ ବିଗତ ଦିନରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଉପାୟରେ ସେ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ କହି ଚପେଇ ଦିଅନ୍ତି। ସ୍କୁଲର କର୍ମଚାରୀଙ୍କ କହିବା ଅନୁସାରେ, ଶ୍ରୀ ସେଠୀ କୁହନ୍ତି ମୁଁ ଏଠାରେ ୭ ବର୍ଷ ହେଲା ଅଛି, ମୋର କେହି କିଛି କରିପାରିବେ ନହିଁ। ଏନେଇ ପ୍ରଧାନଶିକ୍ଷକଙ୍କ ମତାମତ ନେବାରୁ ଏହି ଅଭିଯୋଗ ଭିତ୍ତିହୀନ ଓ ତାଙ୍କୁ ଫସେଇ ଦିଆଯାଇଥିବା କହିଛନ୍ତି।