ବାଇକ୍ ଚାଳକଙ୍କୁ ୧୩ ,୫୦୦ ଜୋରିମାନା

ରାୟଗଡ଼ା,ଏନ୍ଏନ୍ଏସ୍: ନୂଆବର୍ଷରୁ ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ଜାରଦାର ଚେକିଂ କରୁଛି ପରିବହନ ବିଭାଗ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ନେଉଛି ଦୃଢ଼ ପଦକ୍ଷେପ। ଏହି ପରିଫ୍ରେକ୍ଷୀରେ ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ବାଇକ ଚାଳକକୁ ଟ୍ରାଫିକ୍ ଇନ୍ସପେକ୍ଟର ୧୩ ହଜାର ୫ ଶହ ଟଙ୍କା ଫାଇନ୍ କରିଛନ୍ତି। ଏହାସହ ସମ୍ପୃକ୍ତ ଗାଡି ବିନା ରେଜିଷ୍ଟ୍ରେସନରେ କିପରି ଶୋରୁମରୁ ବାହାରିଲା ତାକୁ ନେଇ ଖୋଳତାଡ ଆରମ୍ଭ କରିବାସହ ଶୋରୁମର ମାଲିକ ନାଁରେ ଏକ ଲକ୍ଷଟଙ୍କା ଫାଇନ ପକାଇଛନ୍ତି। ପ୍ରକାଶ ଯେ, ସହରର ଡିଆଇବି ଛକରେ ଆଜି ଯାଞ୍ଚ ଚାଲିଥିବା ବେଳେ ବାଇକରେ ବୁଲି ଡ୍ରମ ବ୍ୟବସାୟ କରୁଥିବା ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରାକୁ ପୁଲିସ୍ ଧରିଥିଲା।

ପ୍ରକାଶ ହେଲମେଟ୍ ପିନ୍ଧିନଥିବା ବେଳେ ଚଲାଉଥିବା ବାଇକର ରେଜିଷ୍ଟ୍ରେସନ୍ ନମ୍ବର ମଧ୍ୟ ନଥିଲା। ପ୍ରକାଶ ବାଇକ ମଧ୍ୟପ୍ରଦେଶରୁ କିଣିବା ପରେ ରେଜିଷ୍ଟ୍ରେସନ୍ ନ କରି ରାୟଗଡ଼ା ଆସି ଏଠାରେ ବ୍ୟବସାୟରେ ଲଗାଇଥିଲେ। ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ନଥିବା, ହେଲମେଟ୍ ପିନ୍ଧିନଥିବା କାରଣରୁ ୧୩ ହଜାର ୫୦୦ ଟଙ୍କାର ଜୋରିମାନା କଟାଯାଇଛି। ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବାପରେ ଗୋଟିଏ ବାଇକ୍ ଉପରେ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ା ଜିଲ୍ଲାରେ ପ୍ରଥମ ଘଟଣା। ବାଇକ୍ ଟିକୁ ରାୟଗଡା ଥାନାରେ ଜିମା ଦିଆଯାଇଥିବା କହିଛନ୍ତି ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ । ପରିବହନ ବିଭାଗ ଟ୍ରାଫିକ୍ ଇନ୍ସପେକ୍ଟର ଯୁଧିଷ୍ଠୀର ଲେଙ୍କାଙ୍କ ସମେତ ସହକାରୀ ଏମଭିଆଇ ଆର କେ ବେହେରା, ଟ୍ରାଫିକ୍ ଏଏସଆଇ ସି କେ ପାତ୍ର ପ୍ରମୁଖ ଯାନବାହନ ଯାଞ୍ଚରେ ସାମିଲ୍ ହୋଇଥିଲେ।