ଆଇପିଏଲ୍‌-୨୦୨୧‌: ୧୦ ରନ‌ରେ ମ୍ୟାଚ୍ ଜିତିଲା କୋଲକାତା

ନୂଆଦିଲ୍ଲୀ,ଏଜେନ୍ସି: କୋଲକାତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଆଇପିଏଲ୍‌-୨୦୨୧ର ୩ୟ ମ୍ୟାଚ୍ ରବିବାର ଖେଳାଯାଇଥିବା ବେଳେ କୋଲକାତା ୧୦ ରନ୍‌ରେ ବିଜୟୀ ହୋଇଛି। ପ୍ରଥମେ କୋଲକାତା ବ୍ୟାଟିଂ କରି ୧୮୮ ରନ ସଂଗ୍ରହ କରିଥିଲା। ଏହି ରନର ପିଛା କରି ହାଇଦ୍ରାବାଦ୍ ୧୭୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ହାଇଦ୍ରାବାଦ୍ ପାଇଁ ମନୀଷ ପାଣ୍ଡେ ସର୍ବାଧିକ ୬୧ ରନ୍ ଯୋଡ଼ିଥିଲେ। ଜନି ବେୟାରଷ୍ଟୋ ୫୫ ରନ୍ ବ୍ୟକ୍ତିଗତ ଭାବେ ଦଳ ପାଇଁ ସଂଗ୍ରହ କରିଥିଲେ। ଏହି ୨ ଜଣ ଖେଳାଳି ଆଉଟ ହୋଇଯିବା ପରେ ଦଳର ଅନ୍ୟ ଖେଳାଳିମାନେ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟାଟିଂ କରିପାରି ନଥିଲେ। ଫଳରେ ଟିମ୍ ୧୦ ରନରେ ପରାସ୍ତ ହୋଇଥିଲା।

କୋଲକାତା ନାଇଟ ରାଇଡର୍ସର ବୋଲରମାନେ ଶେଷଭାଗରେ ମାପଚୁପ ବୋଲିଂ କରିବା ଫଳରେ ୫ଟି ୱିକେଟ ହାତରେ ଥାଇ ମଧ୍ୟ ସନରାଇଜର୍ସ ୧୭୭ ରନରେ ଅଟକିଯାଇଥିଲା। ପ୍ରସିଦ୍ଦ କ୍ରିଷ୍ଣା ସର୍ବାଧିକ ୨ଟି ୱିକେଟ ନେଇଥିଲେ। କୋଲକାତା ତରଫରୁ ନୀତିଶ ରାଣା ୫୬ଟି ବଲ ଖେଳି ୮୦ ରନ୍ କରିଥିଲେ। ଏଥିରେ ୯ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ଏହା ବ୍ୟତୀତ ରାହୁଲ ତ୍ରିପାଠୀ ୨୯ଟି ବଲ ଖେଳି ୫୩ ରନ୍ ସଂଗ୍ରହ କରିଥିଲେ। ସେହିଭଳି ଶେଷ ସମୟରେ ଦିନେଶ କାର୍ତ୍ତିକ ୯ଟି ବଲ ଖେଳି ୨୨ ରନ୍ ଯୋଡ଼ିଥିଲେ।