ପାଟଣାଗଡ଼,ଏନ୍ଏନ୍ଏସ୍: ଦିନକୁ ଦିନ ପାଟଣାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଏଥିରେ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହୋଇଚାଲିଛି। ଆଜି ସକାଳ ୫ ଘଣ୍ଟା ସମୟରେ ପାଟଣାଗଡ଼ର ଜଣେ ଟାଣୁଆ କଂଗ୍ରେସ ନେତା ତଥା ଓଡ଼ିଶା କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ଓ ରାଜ୍ୟ ଉପସଭାପତି କିଶୋର କୁମାର ପରିଛାଙ୍କ ଦେହାନ୍ତ ହୋଇଯାଇଛି। ପରିଛା ଜଣେ ଅତି ଶାନ୍ତି ପ୍ରିୟ ବ୍ୟକ୍ତି ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ସେ ୧୯୯୮ ମସିହାରେ ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବେ ଛିଡା ହୋଇ ୧୨ ହଜାରରୁ ଅଧିକ ଭୋଟ ପାଇଥିଲେ। ପରେ ୨୦୧୪ ମସିହାରେ ଜାତୀୟ କଂଗ୍ରେସ ଦଳ ତରଫରୁ ପୁନର୍ବାର ଛିଡାହୋଇ ୩୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲେ। ସେ ସଦାବେଳେ କେନ୍ଦୁପତ୍ର କର୍ମଚାରୀଙ୍କ ସ୍ୱାର୍ଥ ହାସଲ ପାଇଁ ଅନବରତ ଲଢେଇ ଜାରି ରଖି ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରୁଥିଲେ।
ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ସ୍ଥିତ ଟାଟା ମେମୋରିଆଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଥିଲା। ଏହି ଖବରପାଇ ବଲାଙ୍ଗିର ଲୋକସଭା ସଦସ୍ୟ ସଂଗୀତା ସିଂହଦେଓ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ଲୋକସଭା ସଦସ୍ୟ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପାଟଣାଗଡ଼ର କଂଗ୍ରେସ ନେତା ଅନିଲ ମେହେର, ସିଦ୍ଧାର୍ଥ ମିଶ୍ର, ଜତି ପ୍ରଧାନ, ରମେଶ ପୁରୋହିତ ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।