ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟିବା ପରେ କିରଣ ବେଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ଗତକାଲି ହଠାତ୍ ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି। ଶାସନ ଗାଦିରେ ବସିଥିବା କଂଗ୍ରେସ ଅନେକ ଦିନରୁ ତାଙ୍କୁ ପଦରୁ ହଟାଇବା ନେଇ ଦାବି କରୁଥିଲା। କିରଣ ବେଦୀ ଓ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆମ୍ନାସାମ୍ନା ହୋଇଛି। ରାଷ୍ଟ୍ରପତି ଭବନରୁ କୁହାଯାଇଛି କି, ବେଦୀ ଏବେ ପୁଡୁଚେରୀର ଉପରାଜ୍ୟପାଳ ପଦରେ ରହିବେ ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ପଦରୁ ହଟିବା ପରେ କିରଣ ବେଦୀ ନିଜର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କିରଣ ବେଦୀ ଟ୍ୱିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଚିଠି ସେୟାର କରି ଲେଖିଛନ୍ତି ଯେ, ‘ପୁଡୁଚେରୀର ଉପରାଜ୍ୟପାଳ ପଦର ଅନୁଭବ ଲାଗି ଭାରତ ସରକାରଙ୍କଠାରେ ଆଭାରୀ ରହିବି। ମୋ ସହିତ କାମ କରିଥିବା ସମସ୍ତଙ୍କଠାରେ ମଧ୍ୟ ଆଭାର ବ୍ୟକ୍ତ କରୁଛି। ମୁଁ ବିଶ୍ୱାସ ସହକାରେ କହିପାରିବି କି ମୋ କାର୍ଯ୍ୟକାଳ ସମୟରେ ରାଜନିବାସ ଟିମ୍ ଜନସେବା ପାଇଁ ପୂର୍ଣ୍ଣ ରୂପେ କାର୍ଯ୍ୟ କରିଛନ୍ତି। ପୁଡୁଚେରୀର ଭବିଷ୍ୟ ଉଜ୍ଜ୍ୱଳ।’