କିମ୍ ଜୋଙ୍ଗଙ୍କୁ ଚୀନ ପକ୍ଷରୁ ଦିଆଯାଇଛି କୋଭିଡ୍ ଟିକା

ସିଓଲ, ଏଜେନ୍ସି: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍ ଓ ତାଙ୍କ ପରିବାରବର୍ଗଙ୍କୁ ଚୀନ ପକ୍ଷରୁ ପରୀକ୍ଷାମୂଳକଭାବେ କୋଭିଡ୍ ଟିକା ଦିଆଯାଇଛି ବୋଲି ଆମେରିକାର ୱାଶିଂଟନରେ ବାସ କରୁଥିବା ବିଶେଷଜ୍ଞ ହ୍ୟାରୀ କାଜିଆନିସ୍ କହିଛନ୍ତି। ଜାପାନ ଗୁଇନ୍ଦା ସଂସ୍ଥାର ଦୁଇଟି ରିପୋର୍ଟକୁ ଆଧାର କରି ହ୍ୟାରୀ ଉପରୋକ୍ତ ମନ୍ତବ୍ୟ ଦେଇଥିବା ଜଣାପଡିଛି। ହ୍ୟାରୀ ସଂପ୍ରତି ‘ସେଣ୍ଟର ଫର୍ ନ୍ୟାସନାଲ ଇଣ୍ଟ୍ରେଷ୍ଟ ଥିଙ୍କ୍ ଟ୍ୟାଙ୍କ’ ସଂଗଠନରେ ଉତ୍ତର କୋରିଆ ପ୍ରସଙ୍ଗରେ ବିଶେଷଜ୍ଞଭାବେ କାର୍ଯ୍ୟରତ ଅଛନ୍ତି। କିମ୍ ଓ ତାଙ୍କ ପରିବାରବର୍ଗ ବ୍ୟତୀତ ଉତ୍ତର କୋରିଆର ହାତଗଣତି ଉଚ୍ଚପଦସ୍ଥ ସରକାରୀ ଓ ସାମରିକ ଅଧିକାରୀଙ୍କୁ ମଧ୍ୟ ଏହି ଟିକା ଦିଆଯାଇଛି ବୋଲି ହ୍ୟାରୀ ଦାବି କରିଛନ୍ତି।

ତେବେ କେଉଁ କମ୍ପାନୀ ପକ୍ଷରୁ ଏହି ଟିକା ଦିଆଯାଇଛି ଏବଂ ଟିକା ନେବାପରେ କିମ୍ ଓ ଅନ୍ୟମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ସଂପ୍ରତି ଚୀନର ତିନିଟି କମ୍ପାନୀ ଯଥା ସିନୋଭାକ୍ ବାଓଟେକ୍ ଲିମିଟେଡ, କାନ୍ସିନୋବାଓ ଓ ସିନୋଫାର୍ମ ଗ୍ରୁପ୍ ପକ୍ଷରୁ କୋଭିଡ ଟିକା ପ୍ରସ୍ତୁତ କରାଯାଉଛି ଏବଂ ଇତିମଧ୍ୟରେ ଚୀନର ୧୦ ଲକ୍ଷ ଲୋକଙ୍କୁ ଏହି ଟିକା ଦିଆଯାଇସାରିଛି ବୋଲି ହ୍ୟାରୀ କହିଛନ୍ତି। ଅପରପକ୍ଷରେ ହ୍ୟାରୀଙ୍କ ଏହି ଉକ୍ତିକୁ ଉତ୍ତର କୋରିଆର ଜଣେ ସଂକ୍ରମଣ ରୋଗ ବିଶେଷଜ୍ଞ ଚୋଇ-ଜୁଙ୍ଗ୍ ହୁନ୍ ଅସ୍ୱୀକାର କରିଛନ୍ତି। ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିବା କିମ୍ ଚୀନ ନେତୃବର୍ଗଙ୍କ ପ୍ରରୋଚନାରେ ଏହି ଟିକା ନେଇଥିବେ ବୋଲି ତାଙ୍କର ହୃଦବୋଧ ହେଉନଥିବା ହୁନ୍ କହିଛନ୍ତି।