୨୮ ବର୍ଷ ଧରି ପୁଅକୁ ବନ୍ଦୀ ରଖିଥିବା ମହିଳା ଗିରଫ

ଷ୍ଟକହୋମ,ଏଜେନ୍ସି: ନିଜ ପୁଅକୁ ଦୀର୍ଘ ୨୮ ବର୍ଷ ଧରି ଗୋଟିଏ ଘରେ ବନ୍ଦ କରି ରଖିଥିବା ଅଭିଯୋଗରେ ସ୍ୱିଡେନ ପୁଲିସ ୭୦ ବର୍ଷୀୟା ଜଣେ ମହିଳାଙ୍କୁ ମଙ୍ଗଳବାର ଗିରଫ କରିଥିବା ପ୍ରକାଶ। ରାଜଧାନୀ ଷ୍ଟକ୍ହୋମ୍ର ଏକ ଆପାର୍ଟମେଣ୍ଟରେ ଉକ୍ତ ଯୁବକଙ୍କୁ ଏତେ ଦିନ ବନ୍ଦୀ ରଖାଯିବା କାରଣରୁ ସେ ମାନସିକସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇପଡିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଉଦ୍ଧାର ଯୁବକଙ୍କୁ ବର୍ତ୍ତମାନ ୪୧ ବର୍ଷ। ତାଙ୍କର କୌଣସି ଦାନ୍ତ ନଥିବାବେଳେ ଗୋଡରେ ସଂକ୍ରମଣ ଯୋଗୁଁ ସେ ଆଦୌ ଚାଲିପାରୁନାହାନ୍ତି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେ ବିପଦମୁକ୍ତ ରହିଥିବା କୁହାଯାଇଛି।
କୌଣସି କାରଣକୁ କେନ୍ଦ୍ରକରି ୧୯୯୨ ମସିହାରେ ମହିଳା ଜଣକ ନିଜର ୧୨ ବର୍ଷର ପୁଅକୁ ହଠାତ ବୋଡିଙ୍ଗ୍ ସ୍କୁଲରୁ ନେଇଆସି ଉକ୍ତ ଆପାର୍ଟମେଣ୍ଟର ଗୋଟିଏ ଘରେ ତାଲା ପକାଇ ରଖିଥିଲେ। କେବଳ ଖାଇବାକୁ ଦେଇଥିଲେ ସୁଦ୍ଧା ପୁଅକୁ ବାହାରକୁ ଆସିବାକୁ ଦେଇନଥିଲେ। ନିକଟରେ ଜଣେ ଆତ୍ମୀୟ ଉକ୍ତ ଆପାର୍ଟମେଣ୍ଟକୁ ବୁଲିଯାଇଥିବାବେଳେ ସେହି ଘରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ନେଇ ମହିଳାଙ୍କୁ ପ୍ରଶ୍ନ କରିଥିଲେ। ତେବେ ସନ୍ତୋଷଜନକ ଉତ୍ତର ନ ପାଇବା ଫଳରେ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅସୁସ୍ଥ ପୁଅକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବାବେଳେ ମହିଳାଙ୍କୁ ଗିରଫ କରିଛି। ତେବେ ଏଭଳି ଅମାନବୀୟ ଘଟଣାକୁ ସଂପୃକ୍ତ ମହିଳା ଫାଙ୍କିଦେଇଥିବା ପ୍ରକାଶ।