ଚିଲ୍ଲା ସୀମାରେ ଏକତ୍ର ଦେଉଛନ୍ତି ଚାଷୀ

ନୂଆଦିଲ୍ଲୀ,ଏଜେନ୍ସି: କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକଙ୍କ ପ୍ରଦର୍ଶନ ଲଗାତାର ଜୋର ଧରିଛି। ହଜାର ହଜାର ଚାଷୀ ନୋଏଡା-ଦିଲ୍ଲୀର ଚିଲ୍ଲା ସୀମାରେ ଧାରଣା ଦେଉଛନ୍ତି। ଚାଷୀମାନେ ଏଠାରେ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟା ପରଠାରୁ ଦିଲ୍ଲୀ-ନୋଏଡା ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେମାନେ ଦାବି କରିଛନ୍ତି ଯେ, ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଦେବେ। ଯଦି ପୁଲିସ ସେମାନଙ୍କୁ ଯିବାକୁ ନଦିଏ, ତାହେଲେ ରାଜରାସ୍ତାରେ ଧାରଣା ଦେବେ।

ଚାଷୀ ଆନ୍ଦୋଳନ ଯୋଗୁଁ ନୋଏଡା ଲିଙ୍କ ରୋଡରେ ଚିଲ୍ଲା ସୀମାକୁ ଟ୍ରାଫିକ ପାଇଁ ବନ୍ଦ କରି ଦିଆଯାଇଛି। ସାଧାରଣ ଲୋକଙ୍କୁ ନୋଏଡା-ଦିଲ୍ଲୀ ଲିଙ୍କ ରୋଡରୁ ବର୍ତ୍ତିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଲୋକମାନେ ଏହି ରାସ୍ତା ଦେଇ ଦିଲ୍ଲୀ ଅଥବା ନୋଏଡା ଯାଉଛନ୍ତି, ସେମାନେ ବୁଧବାର ଏହି ରାସ୍ତା ବ୍ୟବହାର ନ କରନ୍ତୁ ବୋଲି କୁହାଯାଇଛି। ସେମାନେ ୨୪ ନମ୍ବର ଜାତୀୟ ରାଜପଥ ଅଥବା ଅନ୍ୟ ରାସ୍ତାରେ ଯାଇପାରିବେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପାଖାପାଖି ୫ କିଲୋମିଟର ଲମ୍ବା ରାସ୍ତାରେ ଟ୍ରାଫିକ ଭିଡ ଦେଖାଯାଇଥିଲା।
ଗତକାଲି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଚାଲିଥିବା କୃଷକ ଓ ସରକାରଙ୍କ ମଧ୍ୟରେ ୩ୟ ବୈଠକ ପରେ କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବ ନାହିଁ ବରଂ ଆହୁରି ତୀବ୍ରତର ହେବ ବୋଲି କୃଷକ ନେତାମାନେ କହିଛନ୍ତି। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟଧରି ବୈଠକ ପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜିର ବୈଠକ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୈଠକରେ ଅଂଶଗ୍ରହଣ କରିଥିବା କୃଷକ ସଂଗଠନ ନେତାମାନେ କହିଛନ୍ତି ଯେ ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।