ସ୍ଥାନୀୟ ନିଯୁକ୍ତି ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ ଖୁଖେଲମାଲବାସୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଖୁଖେଲମାଲ ଗ୍ରାମର ଯୁବକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଲଜକୁରା ଖଣି କର୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଲଜକୁରା ଖୋଲାମୁହଁ କୋଇଲା ଖଣିରୁ କୋଇଲା ଉତ୍ତୋଳନ ପାଇଁ ଖୁଖେଲମାଲ ଗ୍ରାମର ପ୍ରାୟ ୭୦ ପ୍ରତିଶତ ଜଙ୍ଗଲ ଜମି ଅଧିଗ୍ରହଣ ହୋଇସାରିଥିବା ଉପସ୍ଥାପନ କରାଯାଇଛି। ଏହାସହ ଗ୍ରାମ ଜମିରେ ଏମସିଏଲର ତତ୍ତ୍ୱାବଧାନରେ ନୀଳକଣ୍ଠ ମାଇନିଙ୍ଗ ନାମକ ଠିକା କମ୍ପାନୀ ମାଟି ପକା ଏବଂ କଟା କାମ ଆରମ୍ଭ କରିଛି। ଏହି କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗ୍ରାମବାସୀ ଜଙ୍ଗଲ ଜମି, ରଏତି ଜମି ହରାଇବା ସହ ଧୂଳିି ଧୂଆଁ ଖାଉଛନ୍ତି। ଏହି ଜଙ୍ଗଲ ଜମି ଅଧିଗ୍ରହଣ ହେବାରୁ ଗ୍ରାମର ଭୂମିହୀନ ତଥା ଗରିବ ସୀମାରେଖା ତଳେ ବସବାସ କରୁଥିବା ଲୋକେ ପତ୍ର, ଫୁଲ, ଫଳ, କନ୍ଦମୂଳ, ଶୁଖଲା କାଠ ଆଦି ସଂଗ୍ରହ କରି ପାରୁନାହାନ୍ତି। ତେଣୁ ତାଙ୍କ ରୋଜଗାରର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇସାରିଥିବାବେଳ ପରିବାର ପ୍ରତିପୋଷଣରେ ବହୁ ସମସ୍ୟା ଉପୁଜୁଛି।

ଏହି କୋଇଲା ଖନନ ପାଇଁ ଖୁଖେଲମାଲ ଗ୍ରାମବାସୀ ପ୍ରତ୍ୟେକ୍ଷ ଭାବେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇ ରୋଜଗାରର ସମସ୍ତ ମାଧ୍ୟମ ହରାଇଥିଲେ ସୁଦ୍ଧା ଏମସିଏଲ କିମ୍ବା ଏମସିଏଲ ଅଧିନସ୍ଥ ଠିକା କମ୍ପାନୀ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ। ଗ୍ରାମବାସୀମାନେ ନିଯୁକ୍ତି ପାଇଁ ବାରମ୍ବାର ଦାବି କରି ଆସୁଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ଏହି ଖଣିରେ ବ୍ଲାଷ୍ଟିଙ୍ଗ ଯୋଗୁ ଖୁଖେଲମାଲ ଗ୍ରାମର ଘରଗୁଡ଼ିକ ଭାଙ୍ଗିବାର ଆଶଙ୍କା ରହିଛି। ଖଣି ଖନନ ଯୋଗୁ ଗ୍ରାମରେ ଜଳାଭାବ ଦେଖା ଦେଉଛି। କୋଇଲା ଗୁଣ୍ଡ ଓ ଧୂଳିଧୁଆଁ ଯୋଗୁ ଗ୍ରାମର ଅଧିକାଂଶ ଲୋକ ଯକ୍ଷ୍ମା ରୋଗର ଶିକାର ହେଉଛନ୍ତି। ହେଲେ ମଧ୍ୟ ଖୁଖେଲମାଲ ଗ୍ରାମର ଯୁବକମାନେ ନିଯୁକ୍ତି ନପାଇ ଅବହେଳିତ ଏବଂ ପ୍ରତାଡ଼ିତ ହେଉଛନ୍ତି। ଏଣୁ ଗ୍ରାମର ଯୁବକ ଯୁବତୀଙ୍କୁ ଏମସିଏଲ କିମ୍ବା ଏମସିଏଲ ଅଧୀନସ୍ଥ ଠିକା ସଂସ୍ଥାରେ ନିଯୁକ୍ତି ପ୍ରଦାନ କରିବାର ବ୍ୟବସ୍ଥା କରାଯାଉ। ନଚେତ ଗ୍ରାମବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଖୁଖେଲମାଲ ଗ୍ରାମର ଯୁବକମାନେ କହିଛନ୍ତି। ଏହି ସମୟରେ ଭବାନୀ ଶଙ୍କର ପ୍ରଧାନ, ଓମ ପ୍ରକାଶ ପ୍ରଧାନ, ପଙ୍କଜ ପ୍ରଧାନ, ମନୋଜ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଶମ୍ଭୁନାଥ ପ୍ରଧାନ, ଉଧବ ପ୍ରଧାନ, ସ୍ୱରଜା ପ୍ରଧାନ, ରଞ୍ଜନ ପ୍ରଧାନ ଓ କମଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।