ନୂଆପଡ଼ାରେ ସଟଡାଉନ‌ କଡ଼ାକଡ଼ି: ଖରିଆର ରୋଡ଼ ଓ ନୂଆପଡ଼ା ଏନଏସି ହେଲା ସାନିଟାଇଜ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାର ସହରାଞ୍ଚଳ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ସଟଡାଉନ‌ ଓ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲ୍ଲାପାଳ ସ୍ଵଧାଦେବ ସିଂହ ଓ ଏସପି ରାହୁଲ ଜୈନ ଜିଲ୍ଲାବାସୀଙ୍କୁ ସଚେତନ କରିବା ସହିତ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ଶନିବାର ନୂଆପଡ଼ା ସମ୍ପୂର୍ଣ୍ଣ ସଟ‌ଡାଉନ୍‌ ରହିଥିଲା। କାଁ ଭାଁ କେତେକ ମାଲ ବୋଝେଇ ଯାନ ଯା’ଆସ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଗତ ୧୬ ତାରିଖରୁ ଆସନ୍ତା ୨୧ତାରିଖ ପର୍ୟ୍ୟନ୍ତ ଖରିଆର ରୋଡ ସହରକୁ ସମ୍ପୂର୍ଣ ବନ୍ଦ କରାଯାଇଛି। ଏଥିସହିତ ଖରିଆର ମାର୍କେଟ ଆସୋସିଏସନ ମଧ୍ୟ ଗତ ୧୬ରୁ ୨୫ ତାରିଖ ପର୍ୟ୍ୟନ୍ତ ମାର୍କେଟ ବନ୍ଦ ରଖିଛି। ଜିଲ୍ଲା ପ୍ରଶାସନ ସିନାପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ନୂଆପଡ଼ା, ଖରିଆର ରୋଡ଼ ଓ ଖଡ଼ିଆଳ ଏନ‌ଏସି ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନ, ବଜାର, ହବ୍ ଏରିଆ, ଦୋକାନ, ଏଟିଏମ୍, ବ୍ୟାଙ୍କ ଅଫିସ୍ ପରି ଅଗ୍ନିଶମ କାର୍ୟ୍ୟାଳୟ ଓ ସମସ୍ତ ୱାର୍ଡକୁ ବିଶୋଧନ କରାଯାଉଛି। ଏହି ୨ ଏନ‌ଏସିର ବିଭିନ୍ନ ୱାର୍ଡକୁ ଦୁଇ ଦିନ ସାନିଟାଇଜ କରାଯିବ ବୋଲି ନୂଆପଡ଼ା ଓ ଖରିଆର ଏନଏସି ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ କର୍ଣ୍ଣ ସୁନା କହିଛନ୍ତି।