ତେଜୁଛି ଖରସ୍ରୋତା ଜଳ ବିବାଦ, ୨୪ ଗିରଫ

  • ଆଳି,ରାଜକନିକା,୧୩ା୮/ଏନ୍ଏନ୍ଏସ୍: ଖରସ୍ରୋତା ପାନୀୟଜଳ ପ୍ରକଳ୍ପ ବିବାଦ ତେଜିବାରେ ଲାଗିଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବରୁଣାଡିହା ନିକଟରେ ପାନୀୟଜଳ ପ୍ରକଳ୍ପକୁ ବିରୋଧ କରିଥିବା ୨୪ ଜଣଙ୍କୁ ପୁଲିସ ଗୁରୁବାର ରାତିରେ ଗିରଫ କରିଥିବା ଖବର ହସ୍ତଗତ ହୋଇଛି। କେନ୍ଦ୍ରାପଡା ଏସପି ମଦକର ସନ୍ଦୀପ ସମ୍ପଦ ଆଳି ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେମାନେ ହେଲେ ବିଜେପି ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଦଶଭଗାରିଆର ଅଶୋକ ବେହେରା, ଅଚ୍ୟୁତପୁରର ଶଙ୍କର୍ଷଣ ମଲିକ, ଅନିରୁଦ୍ଧ ମଲିକ, ମକୁନ୍ଦପୁରର ବିପିନ ମୁଦୁଲି, ବାପିନା ମଲିକ, ମକୁନ୍ଦ ରାଉତ, ଭାଗ୍ୟଧର ମଲିକ, ଅଞ୍ଜନ ମୁଦୁଲି, ଅନାଦି ମୁଦୁଲି, ସୁବାସ ସାହୁ, ଗଞ୍ଜଦଜାର କୃତିବାସ ପରିଡା, ବାଜପୁରର ପ୍ରକାଶ ଦାସ, ବରୁଣାଡିହାର ରବିନ୍ଦ୍ରନାଥ ସ୍ୱାଇଁ, ଅଜିତ କୁମାର ନାୟକ, ପ୍ରିୟରଞ୍ଜନ ସାହୁ, କଣ୍ଟପଡାର ପ୍ରିତମ ସାଇମନ ବିଶ୍ୱାଳ, ଝରମୁହଁର କାଳିଚରଣ ନାୟକ, ଆଳି ଥାନା ଅନ୍ତର୍ଗତ କଳାପାହାଡର ପ୍ରଦୀପ ବେହେରା, ବାଳକାଟିର ଅକ୍ଷୟ ବେହେରା, ଗୌରହରି ମହାଳିକ, ଘନଶ୍ୟାମ ମହାଲିକ, ରାଣିପୋଖରୀର ଅମରେନ୍ଦ୍ର ମଲିକ, ମନୋଜ ମଲିକ, କୃଷ୍ଣଚନ୍ଦ୍ର ମଲିକ। ପୁଲିସ କେସ୍ ନଂ. ୨୮୫/୨୧ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୁଳ ଜେଲ ପଠାଇ ଦିଆଯାଇଛି। ଅପରପକ୍ଷରେ ପୁଲିସ ଆକ୍ରୋସମୂଳକଭାବେ ଅନେକ ନିରୀହ ଲୋକଙ୍କୁ ଗିରଫ କରିଛି। ଏପରିକି ଗିରଫଙ୍କ ମଧ୍ୟରୁ କେତେକ ଘଟଣାସ୍ଥଳକୁ ଯାଇନଥିବା ଅଭିଯୋଗ କରି କିଛି ମହିଳା ଥାନା ଆଗରେ ଗିରଫ କରିବାର ଉତ୍ତର ମାଗିଥିଲେ। ଏପରିକି ଜଣେ ମହିଳା ଗାଡି ସମ୍ମୁଖରେ ଶୋଇ ରହିଥିଲେ। ଆଇଆଇସି ଜ୍ୟୋତି ସାମନ୍ତରାୟ ଆନ୍ଦୋଳନକାରୀଙ୍କୁ ଲାଠିରେ ପିଟିବା ପରେ ଆନ୍ଦୋଳନ ତୀବ୍ର ହେବା ସମ୍ପର୍କରେ ପଚାରିବାରୁ, ସେ ଏହାକୁ ଅସ୍ୱୀକାର କରିଛନ୍ତି। ପୁଲିସ କର୍ମଚାରୀମାନେ ଅନେକଙ୍କ ଘରକୁ ଯାଇ ଗିରଫ କରିବା ଆଳରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
    ସୂଚନାଯୋଗ୍ୟ, ଗୁରୁବାର ଆନ୍ଦୋଳନ ବିସ୍ଫୋରକ ରୂପ ନେଇଥିଲା। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ହଜାର ହଜାର ପୁରୁଷ ଓ ମହିଳା ଆନ୍ଦୋଳନରେ ସାମିଲ ହେବା ସହିତ ପୁଲିସ୍ ବ୍ୟାରେକେଡ୍କୁ ଭାଙ୍ଗି ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ। ଜେସିବି ମେସିନ୍, ହାଇୱା, ଆମ୍ବୁଲାନ୍ସ ଆଦି ଭଙ୍ଗାରୁଜା କରିଥିଲେ। କମ୍ପାନିର ଅସ୍ଥାୟୀ କ୍ୟାମ୍ପକୁ ବି ଛାରଖାର୍ର କରିଦେଇଥିଲେ। ଲୋକଙ୍କ ଆକ୍ରୋଶ ଦେଖି କମ୍ପାନି କର୍ମଚାରୀ ଛତ୍ରଭଙ୍ଗ ଦେଇଥିଲେ।
    ରାଜକନିକା ଭାରିଗଦାରେ ୮୬୮ କୋଟି ଟଙ୍କା ବ୍ୟୟରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି ପ୍ରକଳ୍ପ ଦ୍ୱାରା ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡ଼ି ଓ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ। ତେବେ ପ୍ରକଳ୍ପ ଆରମ୍ଭରୁ ଧାରଣା ଓ ବିକ୍ଷୋଭ କରି ବିରୋଧ କରିଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ପ୍ରଥମେ ବ୍ୟାରେଜ୍ ନହେଲେ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଇ ଦିଆଯିବନି ବୋଲି ଅଡ଼ିବସିଛି ସମିତି। ସମିତିର ଅଭିଯୋଗ ଅନୁଯାୟୀ, ପ୍ରକଳ୍ପ ହେଲେ ନଦୀ ଶୁଖିଯିବ, ଲୁଣା ମାଡ଼ି ଚାଷ ଉଜୁଡ଼ିଯିବ ଓ ଖରାଦିନେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେବ। ହେଲେ ପ୍ରଶାସନ ପକ୍ଷରୁ ପୁଲିସ ଛାଉଣିରେ କାମ ହେବାକୁ ସ୍ଥିର ହୋଇଥିଲା। ଏଥିପାଇଁ ପକଳ୍ପ ଅଞ୍ଚଳର ଭାରିଗଦା, ବାଳକାଟି ଓ ବରୁଣାଡିଆ ପଞ୍ଚାୟତରେ ୨ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏନେଇ ଆନ୍ଦୋଳନ ତୀବ୍ର ହେଉଛି।