ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଖଇରା ସରପଞ୍ଚ, ୪୮ ଘଣ୍ଟା ସଟଡାଉନ ଘୋଷଣା କଲେ

ଖଇରା,ଏନ୍ଏନ୍ଏସ୍: ଏବେ ସାରା ଦେଶ କରୋନା ଭୂତାଣୁକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହାକୁ ରୋକିବା ଦିଗରେ ସରକାର ବିଭିନ୍ନ ସମୟରେ ନାନା ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ନିଜ ନିଜ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ନେଇ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡିଶା ସରକାର ଓଡ଼ିଶାର ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଏହି କ୍ଷମତାକୁ ପ୍ରୟୋଗ କରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ୪୮ ଘଣ୍ଟା ପାଇଁ ଖଇରା ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଖଇରା ପଞ୍ଚାୟତ ଅଧିନରେ ଖଇରା ବ୍ଲକ୍ କାର୍ଯ୍ୟାଳୟ ଏବଂ ସମସ୍ତ ଅଫିସ ଏବଂ ଦୋକାନ ବଜାର ଥିବାରୁ ଏଠାରେ ଜନସାଧାରଣଙ୍କ ଭିଡ଼ ହୋଇଥାଏ। ଏହି ସମୟରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ସୁରଟ, ଦିଲ୍ଲୀ, ହାଇଦ୍ରାବାଦ, ବେଙ୍ଗାଲୁରୁ, କର୍ଣ୍ଣାଟକ ଭଳି ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆସୁଥିବାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖଇରା ଗ୍ରାମପଞ୍ଚାୟତର ଆଳଦା, ପୁରୁଷୋତ୍ତମପୁର, ବଣପାରିଆ, ନଟାପଡ଼ା, ବିଷ୍ଣୁପୁର ଗ୍ରାମ ଏବଂ ଖଇରା ବଜାରକୁ ଆସନ୍ତାକାଲି ୧୨ ତାରିଖ ସକାଳ ୬ ଘଟିକାରୁ ୧୪ ତାରିଖ ସକାଳ ୬ଘଟିକା ପର୍ଯ୍ୟନ୍ତ ୪୮ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି।

ଏହି ୪୮ ଘଣ୍ଟା ମଧ୍ୟରେ ଜରୁରୀ କାଳୀନ ସେବା ଯଥା- ଔଷଧ ଦୋକାନ ଓ ଡାକ୍ତରଖାନା ଖୋଲା ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ ଶ୍ରୀ ସେଠୀ ପଞ୍ଚାୟତର ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ପ୍ରଚାର କରିଛନ୍ତି। ସରପଞ୍ଚଙ୍କ ଏଭଳି ନିଷ୍ପତିକୁ ପଞ୍ଚାୟତବାସୀ ସମର୍ଥନ କରିଥିବା ଜଣାପଡିଛି।